ମହାକୁମ୍ଭରୁ ଶ୍ରଦ୍ଧାଳୁ ଫେରିବା ପାଇଁ ୩୬୦ରୁ ଅଧିକ ଟ୍ରେନ ଚଲାଇବ ରେଲୱେ, ୧୦ଟା ସୁଦ୍ଧା ୩.୫ କୋଟି କଲେ ସ୍ନାନ

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ କୋଟି କୋଟି ଶ୍ରଦ୍ଧାଳୁ ବୁଡ଼ ପକାଉଛନ୍ତି । ଆଜି ମୌନୀ ଅମାବାସ୍ୟାରେ ୧୦ କୋଟି ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ସ୍ନାନ କରିବାର ଲକ୍ଷ୍ୟ ରହିଛି । ମହାସ୍ନାନ ପୂର୍ବରୁ ଦଳାଚକଟା ସ୍ଥିତି ଉପୁଜିଥିବାରୁ କିଛି ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ମହାକୁମ୍ଭରେ ଭିଡ଼ ଦେଖି ରେଲୱେ ପକ୍ଷରୁ ପ୍ରୟାଗରାଜରୁ ଲୋକଙ୍କୁ ବାହାର କରିବା ପାଇଁ ପ୍ଲାନ କରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହିତ କଥା ହୋଇଛନ୍ତି । ପ୍ରୟାଗରାଜକୁ ଅଧିକ ଟ୍ରେନ ଚଲାଇବା ପାଇଁ ଅପିଲ୍ କରିଛନ୍ତି ।

ପ୍ରୟାଗରାଜରେ ମହାକୁମ୍ଭ ସ୍ଥିତିକୁ ସାମାନ୍ୟ କରିବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ରେଳ ମନ୍ତ୍ରଣାଳୟ କହିଛି କି, ରେଲୱେ ଆଜି ପ୍ରୟାଗରାଜର ବିଭିନ୍ନ ଷ୍ଟେସନରୁ ୩୬୦ରୁ ଅଧିକ ଟ୍ରେନ ଚଲାଇବା ପାଇଁ ଯୋଜନା କରିଛି । ପ୍ରତି ୪ ମିନିଟରେ ଟ୍ରେନ ଚଲାଇବା ପାଇଁ ରେଲୱେ ସହିତ କଥାବାର୍ତ୍ତା ହୋଇଛନ୍ତି ଯୋଗୀ । ତେବେ କୌଣସି ସ୍ପେଶାଲ ଟ୍ରେନ ବାତିଲ ହେବାର ଯୋଜନା ନାହିଁ । ପ୍ରୟାଗରାଜର ବିଭିନ୍ନ ଷ୍ଟେସନରୁ ସ୍ପେଶାଲ ଟ୍ରେନ ଚଲାଇବାକୁ ବ୍ୟବସ୍ଥା କରାଯାଇଛି । ଯଦି ଆପଣ ପ୍ରୟାଗରାଜରୁ ଫେରିବାକୁ ଚାହୁଁଛନ୍ତି ତେବେ ଏହି ଟ୍ରେନଗୁଡିକ ଜରିଆରେ ଫେରିପାରିବେ ।

ତେବେ ଏସବୁ ଟ୍ରେନ ସ୍ନାନ ପାଇଁ ଯାଇଥିବା ଶ୍ରଦ୍ଧାଳୁଙ୍କୁ ଫେରାଇ ଆଣିବା ପାଇଁ ଚାଲିବ । କେବଳ ସ୍ନାନ ଦିନ ଶ୍ରଦ୍ଧାଳୁଙ୍କୁ ଫେରାଇ ଆଣିବା ପାଇଁ ଏସବୁ ବ୍ୟବସ୍ଥା କରାଯାଇଛି । ଆଜି କୌଣସି ଯାତ୍ରୀ ପ୍ରୟାଗରାଜ ଯାଇପାରିବେ ନାହିଁ । କେବଳ ପ୍ରୟାଗରାଜରେ ଥିବା ଶ୍ରଦ୍ଧାଳୁ ସେଠାରୁ ଫେରିପାରିବେ ।

ଏହାଛଡା ମହାକୁମ୍ଭରେ ହେଲିକପ୍ଟର ଜରିଆରେ ନଜର ରଖାଯାଉଛି । ଆଜି ୧୦ଟା ବେଳ ପର୍ଯ୍ୟନ୍ତ ୩.୫ କୋଟି ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ସ୍ନାନ କରିସାରିଲେଣି । ତେବେ ମହାକୁମ୍ଭ ଆରମ୍ଭ ହେବା ଦିନରୁ ୨୮ ଜାନୁଆରୀ ପର୍ଯ୍ୟନ୍ତ ୨୦ କୋଟି ଶ୍ରଦ୍ଧାଳୁ ସ୍ନାନ କରିସାରିଲେଣି । ମୌନୀ ଅମାବାସ୍ୟାରେ ୧୦ କୋଟି ସ୍ନାନ କରିବେ ବୋଲି ଆଶା କରାଯାଉଛି ।

ସୂଚନାଯୋଗ୍ୟ, ପ୍ରୟାଗରାଜରେ ଅନୁଷ୍ଠିତ କୁମ୍ଭମେଳାରେ ଦଳାଚକଟାରେ ୧୫ରୁ ଅଧିକ ଭକ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି । ବୁଧବାର ମୌନୀ ଅମାବାସ୍ୟାରେ ଶାହି ସ୍ନାନ ହେବାର ଥିଲା । ବ୍ରହ୍ମ ମୁହୂର୍ତ୍ତରେ ଭକ୍ତ ଓ ଅଖାଡା ସଦସ୍ୟମାନେ ସ୍ନାନ ପାଇଁ ଯିବା ସମୟରେ ଦଳାଚକଟା ହୋଇଥିଲା । ଅମୃତ ସ୍ନାନ ପାଇଁ ସଙ୍ଗମ ସ୍ଥଳରେ ହଠାତ୍ ଗହଳି ବଢ଼ିଯାଇଥିଲା । ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ମେଳା ପଡ଼ିଆରେ ଥିବା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

Also Read : ମହାକୁମ୍ଭରେ ଦଳାଚକଟା : ସ୍ଥିତି ନିୟନ୍ତ୍ରଣାଧୀନ, ଶ୍ରଦ୍ଧାଳୁଙ୍କୁ ଏଭଳି ଅପିଲ୍ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ