ଆମେରିକାରେ ଭାରତୀୟ ଯୁବକ ଗିରଫ, ହମାସ ସହିତ ସଂପର୍କ ରଖିଥିବା ସନ୍ଦେହ

ହମାସ ସହିତ ସମ୍ପର୍କ ରଖିବା ଅଭିଯୋଗରେ ଆମେରିକାରରେ ଅଟକ ରହିଛନ୍ତି ଜଣେ ଭାରତୀୟ ଯୁବକ । ଭାରତୀୟ ନାଗରିକ ବଦର ଖାନ ସୁରିଙ୍କୁ ଗିରଫ କରିଛି । ଆମେରିକାରେ ଭାରତୀୟ ଯୁବକ ଗବେଷଣା କରୁଥିଲେ । ତାଙ୍କୁ ଭର୍ଜିନିଆ ସ୍ଥିତ ବାସଭବନରୁ ଗିରଫ କରାଯାଇଛି ।

ୱାଶିଂଟନ୍ ଡିସିର ଜର୍ଜଟାଉନ୍ ବିଶ୍ୱବିଦ୍ୟାଳୟର ଗବେଷକ ଥିବା ସୁରିଙ୍କୁ ସୋମବାର ରାତିରେ ଭର୍ଜିନିଆରେ ତାଙ୍କ ଘର ବାହାରେ ଫେଡେରାଲ୍ ଏଜେଣ୍ଟମାନେ ହେପାଜତକୁ ନେଇଯାଇଥିଲେ । ତାଙ୍କର ଭିସା ରଦ୍ଦ କରାଯାଉଛି ବୋଲି ତାଙ୍କୁ ଗିରଫ ବେଳେ କୁହାଯାଇଥିଲା । ଏଜେଣ୍ଟମାନେ ହୋମଲାଣ୍ଡ ସିକ୍ୟୁରିଟି ବିଭାଗର ଅଧିକାରୀ ବୋଲି କହି ଯୁବକଙ୍କୁ ଗିରଫ କରିଥିଲେ । ତାଙ୍କ ଓକିଲଙ୍କ ଅନୁଯାୟୀ, ଜଣେ ଆମେରିକୀୟ ନାଗରିକଙ୍କୁ ବିବାହ କରିଥିବା ସୁରି ଇମିଗ୍ରେସନ୍ କୋର୍ଟରେ ଆଗାମୀ ଶୁଣାଣି ପାଇଁ ଅପେକ୍ଷା କରିଛନ୍ତି।

ସୁରିଙ୍କ ମୁକ୍ତି ପାଇଁ ଆବେଦନ ଅନୁଯାୟୀ, ଟ୍ରମ୍ପ ପ୍ରଶାସନ ଇମିଗ୍ରେସନ ଆଇନର ଏକ କ୍ୱଚିତ୍ ବ୍ୟବହୃତ ଧାରା ବ୍ୟବହାର କରିଥିଲା । ଯାହା ଆମେରିକାର ବୈଦେଶିକ ନୀତି ପାଇଁ ବିପଦ ବୋଲି ବିବେଚିତ ଅଣ-ନାଗରିକମାନଙ୍କୁ ଦେଶାନ୍ତର କରିବାର ଅଧିକାର ରାଜ୍ୟ ସଚିବଙ୍କୁ ପ୍ରଦାନ କରିଥାଏ ।

ସୁରିଙ୍କ ଉପରେ ଫିଲିସ୍ତାନୀ ସଂଗଠନ ହମାସର ପ୍ରଚାର କରିବା ଅଭିଯୋଗ ହୋଇଛି । ହମାସକୁ ଆମେରିକା ଏହାକୁ ଆତଙ୍କବାଦୀ ସଂଗଠନ ବୋଲି ଘୋଷଣା କରିଛି । ଏହାସହିତ ତାଙ୍କ ଉପରେ ସନ୍ଦିଗ୍ଧ ଆତଙ୍କୀ ସହିତ ଜଡିତ ଥିବା ଅଭିଯୋଗ ମଧ୍ୟ ଲାଗିଛି ।

Also Read : ପେରୁରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ, ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି