କରୋନା ପରି ମାରାତ୍ମକ ଭାଇରସର ପ୍ରତିଷେଧକ ବା ଭ୍ୟାକସିନ ବାହାର କରିବା ପାଇଁ ବିଶ୍ୱର ପ୍ରାୟ ସମସ୍ତ ଦେଶ ଚେଷ୍ଟା ଚଳାଇଛନ୍ତି । କିନ୍ତୁ ଏଭିତରେ ଜଣେ ଭାରତୀୟ ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଆସନ୍ତା ୨୦୨୧ ବର୍ଷ ପୂର୍ବରୁ ଏହାର ଭ୍ୟାକସିନ ବାହାର କରିବା ହୁଏତ ସମ୍ଭବ ପର ହେବ ନାହିଁ । ସୂଚନା ଅନୁଯାୟୀ ଫରିଦାବାଦ ସ୍ଥିତ ଟ୍ରାନ୍ସଲେସନାଲ ହେଲଥ ସାଇନ୍ସ ଏଣ୍ଡ ଟେକ୍ନୋଲୋଜି ଇନଷ୍ଟିଟ୍ୟୁଟର କାର୍ଯ୍ୟକାରୀ ନିର୍ଦ୍ଦେଶକ ତଥା ସିଇପିଆଇ (ଏପିଡେମିକ୍ ପ୍ରସ୍ତୁତି ଇନୋଭେସନ୍ ଆଲାଇନ୍ସ)ର ଭାଇସ ଚେୟାରମ୍ୟାନ ଗଗନଦୀପ କାଙ୍ଗଙ୍କ କହିବା ମୁତାବକ, ବର୍ତ୍ତମାନ ସମୟରେ ଏହି ମାରାତ୍ମକ ଭାଇରସର ଭ୍ୟାକସିନ ବାହାର କରିବା ପାଇଁ କରାଯାଉଥିବା ସମସ୍ତ ଚେଷ୍ଟା ନିଶ୍ଚିତ ରୂପେ ପ୍ରଶଂସା ଯୋଗ୍ୟ ।
କୌଣସିଟି ଭ୍ୟାକସିନର ପରୀକ୍ଷଣ ଅନେକ ସ୍ତର ଦେଇ କରାଯାଇଥାଏ । ଯାହାକି ଏକ ଜଟିଳ ପ୍ରକ୍ରିୟା ମଧ୍ୟ । ଶ୍ରୀ କାଙ୍ଗଙ୍କ ଅନୁଯାୟୀ ଅନ୍ୟ ଭୁତାଣୁ ପରି ଏହାର ପ୍ରତିଷେଧକ ଖୋଜି ବାହାର କରିବା ପାଇଁ ଯଦିବା ଏତେ ସମୟ ଲାଗିବ ନାହିଁ , କିନ୍ତୁ ଏକ ସୁରକ୍ଷିତ, ପ୍ରଭାବୀ ପ୍ରତିଷେଧକ ବାହାର କରିବା ପାଇଁ ଅତି କମରେ ଏକ ବର୍ଷ ପର୍ଯ୍ୟନ୍ତ ସମୟ ଲାଗିଯିବ । ଅନ୍ୟ ପକ୍ଷରେ କେରଳ ସ୍ଥିତ ରାଜୀବ ଗାନ୍ଧୀ ସେଣ୍ଟର ଫର ବାୟୋଟେକନୋଲୋଜିର ମୁଖ୍ୟ ଇଂ. ଶ୍ରୀକୁମାର ଓ ହାଇଦରାବାଦ ସ୍ଥିତ ସିଏସଆଇଆର ନିର୍ଦ୍ଦେଶକ ରାକେଶ ମିଶ୍ର ବି ଶ୍ରୀ କଙ୍ଗଙ୍କ କଥାକୁ ସମର୍ଥନ କରିଛନ୍ତି ।
ପରୀକ୍ଷଣର ବିଭିନ୍ନ ସ୍ତର ଶେଷ କରିବା ପାଇଁ ଲାଗୁଥିବା ସମୟ ଓ ଏଥିପାଇଁ ମଞ୍ଜୁରୀ ମିଳିବାକୁ ଲାଗୁଥିବା ସମୟକୁ ଯଦି ଧରାଯାଏ ତେବେ କରୋନା ଭାଇରସ ପାଇଁ ଭେକସିନ ବଜାରରେ ଛାଡ଼ିବା ପାଇଁ ହୁଏତ ଏକ ବର୍ଷ ପର୍ଯ୍ୟନ୍ତର ସମୟ ଲାଗିଯିବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଏଯାବତ ପାଖାପାଖି ୭୦ଟି ଭ୍ୟାକସିନର କ୍ଲିନିକାଲ ପରୀକ୍ଷଣ କରାଯାଇସାରିଲାଣି । ଏଭିତରୁ ତିନି ଟିକୁ ହିଁ ମାନବ ଶରୀରରେ ପରୀକ୍ଷଣ ପାଇଁ ଅନୁମତି ମିଳିସାରିଛି ।
ଜାଣି ରଖନ୍ତୁ ପରୀକ୍ଷଣ ପାଇଁ କେତୋଟି ସ୍ତର ଦେଇ ଯିବାକୁ ପଡିଥାଏ :
– ସାଧାରଣତଃ କୌଣସି ଭ୍ୟାକସିନର ପରୀକ୍ଷା ଜାନୁଆରୀ ମାସରେ ହିଁ ଆରମ୍ଭ କରାଯାଇଥାଏ ।
– ଲ୍ୟାବ ଟେଷ୍ଟ ସମୟରେ ବିଭିନ୍ନ ପଶୁପକ୍ଷୀଙ୍କ ଉପରେ ପ୍ରୟୋଗ କରାଯାଏ ।
– ସଫଳ ହେଲେ ପ୍ରଥମେ ଅଳ୍ପ ସଂଖ୍ୟକ ବ୍ୟକ୍ତିଙ୍କ ଶରୀରରେ ପରୀକ୍ଷଣ କରାଯାଏ ।
– ପରୀକ୍ଷଣ ସୁରକ୍ଷିତ ରହିଲେ ପର ସ୍ତରରେ କେତେ ଶହ ଲୋକଙ୍କ ଠାରେ ପ୍ରୟୋଗ କରାଯାଏ ।
– ଏହି ସମୟରେ ହିଁ ଭ୍ୟାକସିନର ପ୍ରଭାବକୁ ଦେଖାଯାଇଥାଏ ।
– ପରେ କେତେ ହଜାର ଲୋକଙ୍କ ଠାରେ ଭ୍ୟାକସିନର ପ୍ରଭାବକୁ ପରଖା ଯାଇଥାଏ ।
– ନିର୍ଣ୍ଣାୟକ ସ୍ତରରେ ଭ୍ୟାକସିନ କ୍ଷମତା ପରଖିବା ପାଇଁ କିଛି ମାସ ପର୍ଯ୍ୟନ୍ତର ସମୟ ଲାଗିଯାଏ ।