ଆୟରଲାଣ୍ଡ: ଗଛରେ ପିଟି ହେଲା କାର୍, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ଦୁଇ ଗୁରୁତର

ଦକ୍ଷିଣ ଆୟରଲାଣ୍ଡର କାର୍ଲୋ କାଉଣ୍ଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ କାର୍ ଏକ ଗଛରେ ପିଟି ହୋଇଯିବାରୁ ଦୁହିଁଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣାରେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଏବଂ ଜରୁରୀକାଳୀନ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଭାରତୀୟ ଛାତ୍ର ହେଲେ ଚେରେକୁରୀ ସୁରେଶ ଚୌଧୁରୀ ଓ ଚିଥୁରୀ ଭାର୍ଗବ ।
ଆୟରଲାଣ୍ଡର ରାଜଧାନୀ ଡବଲିନରେ ଥିବା ଭାରତୀୟ ଦୂତାବାସ ରବିବାର ସୋସିଆଲ ମିଡିଆରେ ଏକ ଶୋକ ବାର୍ତ୍ତା ଜାରି କରିଛି । ଦୂତାବାସ କହିଛି ଯେ କାର୍ଲୋ କାଉଣ୍ଟରେ ଏକ କାର୍ ଦୁର୍ଘଟଣାରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁକୁ ନେଇ ଭାରତର ଦୂତାବାସ ଗଭୀର ସମବେଦନା ଜଣାଇଛି । ଦୂତାବାସ ଟିମ୍ ମୃତକମାନଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହ ଯୋଗାଯୋଗରେ ଅଛି । ଏଥିସହ ଦୁର୍ଘଟଣାରେ ଆହତ ଦୁଇ ଭାରତୀୟ ନାଗରିକଙ୍କୁ ମଧ୍ୟ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରାଯାଉଛି ।
କାର୍ଲୋ ଗାର୍ଡା ଷ୍ଟେସନର ଅଧୀକ୍ଷକ ଆନ୍ଥୋନି ଫାରେଲ୍ କହିଛନ୍ତି, ଏକ କଳା ରଙ୍ଗର କାର୍ କାର୍ଲୋ ସହର ଆଡକୁ ଯାଉଥିଲା । ଏହି ସମୟରେ ଏହା ରାସ୍ତା ଅତିକ୍ରମ କରିବା ବେଳେ ଏକ ଗଛ ସହ ମୁହାଁମୁହିଁ ଧକ୍କା ହୋଇଥିଲା । କାରରେ ଥିବା ଅନ୍ୟ ଦୁଇ ଯାତ୍ରୀ ୨୦ ବର୍ଷର ଯୁବକ ଓ ଯୁବତୀ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ କିଲକେନିର ସେଣ୍ଟ ଲ୍ୟୁକ୍ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ଉଭୟ ବର୍ତ୍ତମାନ ବିପଦମୁକ୍ତ ଅଛନ୍ତି ।
ସେପଟେ ଉତ୍ତର ପ୍ରଦେଶର ସୋନଭଦ୍ର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଡିଭାଇଡର ପାର୍ ହେଉଥିବା ଟ୍ରକଟି ଏକ କାରକୁ ଧକ୍କା ଦେବା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବ୍ୟବଚ୍ଛେଦ ପରେ ମୃତଦେହଗୁଡ଼ିକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।
ଏହା ସହ ପଢ଼ନ୍ତୁ: ମହାକୁମ୍ଭକୁ ସ୍ନାନ ପାଇଁ ଯାଉଥିବା ବେଳେ କାର୍ କୁ ଧକ୍କା ଦେଲା ଟ୍ରକ, ୬ ମୃତ, ୩ ଗୁରୁତର