ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ପହଞ୍ଚିଲା ଟିମ୍‌, ଟିମ୍‌ ମୋଦିଙ୍କୁ ସାକ୍ଷାତ କରିବା ପରେ ମୁମ୍ବାଇ ଯିବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ପହଞ୍ଚିଛି ରୋହିତ ବାହିନୀ । ଲୋକ କଲ୍ୟାଣ ମାର୍ଗ ୭ରେ ଥିବା ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଭାରତୀୟ ଟିମ୍‌ ବ୍ରେକଫାଷ୍ଟ କରିବ । ଭାରତୀୟ ଟିମ ସ୍ୱଦେଶ ଫେରିବା ପରେ ପ୍ରଥମେ ହୋଟେଲ ଯାଇଥିଲା । ହୋଟେଲରେ ଭବ୍ୟ ସ୍ୱାଗତ ପରେ ଦଳ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛି । ଟିମ୍‌ ମୋଦିଙ୍କୁ ସାକ୍ଷାତ କରିବା ପରେ ମୁମ୍ବାଇ ଯିବ । ସେଠାରେ ଓପନ ବସରେ ନରିମନ ପଏଣ୍ଟରୁ ଓ୍ଵାଙ୍ଖଡେ ଷ୍ଟାଡିୟମ ପର୍ଯ୍ୟନ୍ତ ବିଜୟ ଶୋଭାଯାତ୍ରା ହେବ ।


ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ଟ୍ରଫି ଜିତିବା ପରେ ଆଜି ସକାଳେ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିଥିଲା । ଏହାପରେ ଦିଲ୍ଲୀର ଆଇଟିସି ମୋର୍ଯ୍ୟରେ ପହଞ୍ଚିଥିଲା ଦଳ । ସେଠାରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।

ସୂଚନାଯୋଗ୍ୟ, ଭାରତୀୟ ଟିମ୍‌ ୨୯ ଜୁନରେ ଟି୨୦ ବିଶ୍ୱକପ ୨୦୨୪ ଜିତିବା ପରେ ବାର୍ବାଡୋସରେ ଘୂର୍ଣ୍ଣିଝଡ ଯୋଗୁଁ ଫସିଥିଲା । ତେଣୁ ଭାରତୀୟ ଟିମ୍‌ ଦିଲ୍ଲୀ ଫେରିପାରିନଥିଲା । ବିସିସିଆଇ ତରଫରୁ ସ୍ୱତନ୍ତ୍ର ବିମାନ ଯାଇ ଟିମକୁ ବାର୍ବାଡୋସରୁ ଆଣିଥିଲା । ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନ ତାଙ୍କୁ ଆଣିବା ପାଇଁ ଯାଇଥିଲା । ଏହି ବିମାନ ଟିମ ଇଣ୍ଡିଆର ସଦସ୍ୟମାନଙ୍କ ସହିତ ସେଠାରେ ଫସି ରହିଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ଫେରାଇ ଆଣିଛି ।