ହରିୟାଣାର ବିଧାୟିକା ହେଲେ ଦେଶର ସବୁଠୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ, ସ୍ୱାଧୀନ ଭାବେ ଲଢ଼ିଥିଲେ ନିର୍ବାଚନ

ହରିୟାଣାରେ ବିଜେପି କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି । ୯୦ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ୫୦ଟି ଆସନରେ ଆଗରେ ରହିଛି । ଏହି ନିର୍ବାଚନରେ ସମସ୍ତଙ୍କ ନଜର ଥିଲା ହିସାର ଆସନ ଉପରେ । କାରଣ, ଏଠାରୁ ଦେଶର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ । ଏବେ ସେ ଏହି ଆସନରୁ ଦମଦାର ବିଜୟ ହାସଲ କରିଛନ୍ତି ।
କୁରୁକ୍ଷେତ୍ରରୁ ବିଜେପି ସାଂସଦ ନବୀନ ଜିନ୍ଦଲଙ୍କ ମା’ ସାବିତ୍ରୀ ଜିନ୍ଦଳ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସ ପ୍ରାର୍ଥୀ ରାମ ନିବାସ ରାଣାଙ୍କୁ ୧୮,୯୪୧ ଖଣ୍ଡ ଭୋଟ୍ରେ ପରାସ୍ତ କରିଛନ୍ତି । ସାବିତ୍ରୀ ଜିନ୍ଦଲଙ୍କୁ ୪୯,୨୩୧ ଖଣ୍ଡ ଭୋଟ୍ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି ୩୦,୨୯୦ ଖଣ୍ଡ ଭୋଟ୍ । ସେପଟେ ବିଜେପି ପ୍ରାର୍ଥୀ ତଥା ବର୍ତ୍ତମାନର ବିଧାୟକ କମଲ ଗୁପ୍ତା ୧୭,୩୮୫ ଖଣ୍ଡ ଭୋଟ୍ ସହିତ ତୃତୀୟ ସ୍ଥାନରେ ରହିଛନ୍ତି ।
କହି ରଖୁଛୁ, ଫୋବର୍ସ ଇଣ୍ଡିଆ ସାବିତ୍ରୀ ଜିନ୍ଦଲଙ୍କୁ ଚଳିତ ବର୍ଷ ଦେଶର ସବୁଠୁ ଧନୀ ମହିଳା ବୋଲି ଦର୍ଶାଇଥିଲା । ତାଙ୍କର ମୋଟ ସମ୍ପତ୍ତି ୩୯.୫ ବିଲିୟନ ଡଲାର୍ । ୭୫ ବର୍ଷୀୟା ସାବିତ୍ରୀ ଜିନ୍ଦଲ ‘ଓପି ଜିନ୍ଦଲ ଗ୍ରୁପ୍ ଆଣ୍ଡ ଇନ୍ହେରିଟେଡ୍’ର ହୋନରାରୀ ଚେୟାରପର୍ସନ । ତାଙ୍କ ସ୍ୱାମୀ ଓପି ଜିନ୍ଦଲଙ୍କର ୨୦୦୫ରେ ନିଧନ ହୋଇଥିଲା । ସେବେଠାରୁ ସେ ନିଜ ସ୍ୱାମୀଙ୍କ କମ୍ପାନୀର ସମ୍ପୂର୍ଣ୍ଣ ଦାୟିତ୍ୱ ସମ୍ଭାଳୁଛନ୍ତି ।