ନୂଆଦିଲ୍ଲୀ : ଇଣ୍ଡିଗୋର ଏକ ବିମାନ ଅହମ୍ମଦାବାଦ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି । କୁୱେତରୁ ଦିଲ୍ଲୀ ଯାଉଥିବା ଏକ ବିମାନକୁ ବୋମା ଧମକ ମିଳିଥିବା ସୂଚନା ମିଳୁଛି । ଯାହା ପରେ ସେହି ବିମାନରେ ଯାତ୍ରା କରୁଥିବା ୧୮୦ ଜଣ ଯାତ୍ରୀଙ୍କର ଲଗେଜକୁ ଯାଞ୍ଚ କରାଯାଇଛି ।
ସୂଚନାନୁଯାୟୀ, କୁୱେତରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନରେ ଟିସୁ ପେପରରେ ଲେଖାଯାଇଥିବା ଏକ ନୋଟ ମିଳିଥିଲା । ଯେଉଁଥିରେ ବିମାନକୁ ଅପହରଣ କରି ଉଡ଼ାଇ ଦିଆଯିବାର ଧମକ ଥିଲା । ଫଳରେ ଏପରି ସୂଚନା ପାଇବା ମାତ୍ରେ ବର୍ତ୍ତମାନ ପ୍ରତ୍ୟେକ ଯାତ୍ରୀଙ୍କୁ ଯାଞ୍ଚ କରାଯାଉଛି। ପ୍ରତ୍ୟେକ ଯାତ୍ରୀଙ୍କୁ ଚିହ୍ନଟ କରାଯାଉଛି । ଏଥିସହ ସୁରକ୍ଷା ଏଜେନ୍ସିଗୁଡ଼ିକୁ ସତର୍କ କରାଯାଇଥିଲା ଏବଂ ବିଡିଡିଏସ୍ ଦ୍ୱାରା ବିମାନଟିର ସମ୍ପୂର୍ଣ୍ଣ ଯାଞ୍ଚ କରାଯାଇଥିଲା। ତଥାପି, କୌଣସି ଆପତ୍ତିଜନକ ଜିନିଷ ମିଳିନଥିଲା । ବିମାନ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି ଏବଂ ପ୍ରୋଟୋକଲ ଅନୁଯାୟୀ ଅଧିକ ତଦନ୍ତ ମଧ୍ୟ ଚାଲିଛି । ଏହା ବ୍ୟତୀତ ଯାତ୍ରୀମାନଙ୍କୁ ଟର୍ମିନାଲର ଏକ ସୁରକ୍ଷିତ ଅଂଶକୁ ନିଆଯାଇଥିଲା। ସୁରକ୍ଷା ଏଜେନ୍ସିଗୁଡ଼ିକୁ ପୂର୍ବରୁ ସତର୍କ କରାଯାଇଥିଲା । ପରିସ୍ଥିତିକୁ ଶୀଘ୍ର ନିୟନ୍ତ୍ରଣ ମଧ୍ୟ କରାଯାଇଥିଲା ।
ଅନ୍ୟପଟେ ଏହି ସୂଚନା ପାଇବା ପରେ କୁକୁର ସ୍କ୍ୱାଡ୍ ଏବଂ CISF କର୍ମଚାରୀମାନେ ତୁରନ୍ତ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ବିମାନବନ୍ଦର ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବୃଦ୍ଧି କରାଯାଇଛି । ଏହାରି ମଧ୍ୟରେ ରନୱେ ଚାରିପାଖ ଏବଂ ବିମାନ ନିକଟରେ ଅନଧିକୃତ ଗତିବିଧିକୁ ନିଷେଧ କରାଯାଇଛି । ଯାହାଦ୍ବାରା ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖାଯାଇପାରିବ ।
ଆପଣଙ୍କୁ ଜଣାଇ ରଖୁଛୁ ଯେ, ଜାନୁଆରୀ ୨୨ ତାରିଖରେ ସମାନ ଧମକ ମିଳିଥିଲା । ଦିଲ୍ଲୀରୁ ପୁଣେ ଯାଉଥିବା ଇଣ୍ଡିଗୋ ବିମାନ 6E 2608 ପୁଣେ ବିମାନବନ୍ଦରରେ ପହଞ୍ଚିବା ପରେ ବୋମା ଧମକ ପାଇଥିଲା। ତଥାପି, ଏକ ସମ୍ପୂର୍ଣ୍ଣ ତଦନ୍ତ ପରେ, କିଛି ସନ୍ଦେହଜନକ ମିଳିନଥିଲା ।
Also Read : PT ଉଷାଙ୍କ ସ୍ବାମୀ ଭି. ଶ୍ରୀନିବାସଙ୍କ ଦେହାନ୍ତ, ପରିବାର ପ୍ରତି ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି