VIDEO: ବାତ୍ୟା ପବନରେ ଟଳମଟଳ ହେଲା ବିମାନ, ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ଯାତ୍ରୀଙ୍କ ଜୀବନ

ଚେନ୍ନାଇ ବିମାନବନ୍ଦରରୁ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ବାତ୍ୟା ‘ଫେଙ୍ଗଲ୍’ ପ୍ରଭାବରେ ପ୍ରବଳ ପବନ ହେତୁ ଇଣ୍ଡିଗୋର ଏକ ବିମାନ ରନୱେରେ ସଠିକ୍ ଅବତରଣ କରିପାରି ନାହିଁ । ରନୱେରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ବେଳେ ବିମାନଟି ଆକାଶରେ ଦୋହଲିଥିଲା ।

ଯଦିଓ ଶେଷ ମୁହୂର୍ତ୍ତରେ ପାଇଲଟ୍ ଉପସ୍ଥିତ ବୁଦ୍ଧି ଖଟାଇ ବିମାନକୁ ପୁଣିଥରେ ଟେକ୍ ଅଫ୍ କରାଇବାକୁ ନିଷ୍ପତ୍ତି ନେଇଥିଲେ, ଯାହାଫଳରେ ଶହ ଶହ ଯାତ୍ରୀଙ୍କ ଜୀବନ ରକ୍ଷା ପାଇଯାଇଥିଲା । ପ୍ରବଳ ପବନ ଏବଂ ରନୱେରେ ପାଣି ଜମା ହୋଇଥିବା ଯୋଗୁ ବିମାନ ଲ୍ୟାଣ୍ଡ କରିପାରି ନ ଥିଲା ।

ପୂରା ଘଟଣାକୁ ନେଇ ଇଣ୍ଡିଗୋ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି । ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ଯେ ଖରାପ ପାଣିପାଗ କାରଣରୁ ମୁମ୍ବାଇରୁ ଚେନ୍ନାଇ ଆସୁଥିବା ବିମାନ ନମ୍ବର 6E 683 ପବନରେ ଦୋହଲିବା ଆରମ୍ଭ କରିଥିଲା । ବିମାନକୁ ଏକ ଗୋ-ଆରାଉଣ୍ଡ କରିବାକୁ ପଡ଼ିଥିଲା । ଏହା ଏକ ସୁରକ୍ଷା ମାନକ । ଏପରି ପରିସ୍ଥିତିର ମୁକାବିଲା କରିବାକୁ ଆମ ପାଇଲଟ ସକ୍ଷମ । ନିରାପଦ ଅବତରଣ କରିବାରେ ଅସୁବିଧା ହେଲେ ଏକ ଗୋ-ଆରାଉଣ୍ଡ କରାଯାଇଥାଏ । ଆମେ ଆମ ଯାତ୍ରୀ, ବିମାନ ଏବଂ କ୍ରୁ ସଦସ୍ୟଙ୍କ ସୁରକ୍ଷା ପ୍ରତି ନିଜର ପ୍ରତିବଦ୍ଧତାକୁ ପୁଣିଥରେ ଦୋହରାଇଛୁ ।

କହି ରଖୁଛୁ, ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫେଙ୍ଗଲ୍’ ଗତକାଲି ରାତିରେ ପୁଡୁଚେରୀର କରାଇକଲ୍ ଏବଂ ତାମିଲନାଡ଼ୁର ମହାବଲିପୁରମ୍ ମଧ୍ୟରେ ସମୁଦ୍ର ଉପକୂଳରେ ମାଡ଼ ହୋଇଛି । ଏହି କାରଣରୁ ଚେନ୍ନାଇ ପାଣିପାଗରେ ପରିବର୍ତ୍ତନ ହୋଇଛି, ଯାହାର ପ୍ରଭାବ ଚେନ୍ନାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା ।