Indigo ବିମାନ କରାଚିରେ କଲା ଜରୁରୀ ଅବତରଣ, ଆକାଶରେ ଅସୁସ୍ଥ ହେଲେ ଯାତ୍ରୀ
![indigo](https://knewsodisha.com/wp-content/uploads/2024/05/indigo.jpg)
ଇଣ୍ଡିଗୋର ଏକ ବିମାନ ଆଜି ପାକିସ୍ତାନର କରାଚିରେ ଜରୁରୀକାଳୀନ ଅବତରଣ କରିଛି । ନୂଆଦିଲ୍ଲୀରୁ ଉଡ଼ାଣ ଭରିଥିବା ଏହି ବିମାନ ସାଉଦି ଆରବର ଜେଦ୍ଦା ଅଭିମୁଖେ ଯାତ୍ରା କରୁଥିଲା । ଏହାରି ମଧ୍ୟରେ ବିମାନକୁ କରାଚିରେ ଜରୁରୀ ଅବତରଣ କରିବାକୁ ପଡ଼ିଛି ।
ମିଳିଥିବା ସୂଚନା ମୁତାବକ, ଆକାଶରେ ଜଣେ ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ି ଯାଇଥିଲା । ମେଡିକାଲ୍ ଏମରଜେନ୍ସି ହେତୁ କରାଚିରେ ବିମାନଟି ଲ୍ୟାଣ୍ଡ କରିଥିଲା । କରାଚିର ଜିନ୍ନା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏମରଜେନ୍ସି ଲ୍ୟାଣ୍ଡିଂ ହୋଇଥିଲା ।
ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ସୂତ୍ରରୁ ପ୍ରକାଶ ଯେ ଶନିବାର ଏହି ବିମାନ ନୂଆଦିଲ୍ଲୀରୁ ଉଡ଼ାଣ ଭରିଥିଲା । ଯେତେବେଳେ ଏହା ପାକିସ୍ତାନର ଆକାଶରେ ଉଡୁଥିଲା, ଏହି ସମୟରେ ଜଣେ ପୁରୁଷ ଯାତ୍ରୀ ଗୁରୁତର ଅସୁସ୍ଥ ହୋଇ ପଡିଥିଲେ । ଏହି ଭାରତୀୟ ଯାତ୍ରୀଙ୍କ ବୟସ ୫୫ ବର୍ଷ ।
ଏଭଳି ସ୍ଥିତିରେ ବିମାନର ପାଇଲଟ୍ ତାଙ୍କୁ ଅକ୍ସିଜେନ୍ ଦେଇଥିଲେ । ଏହା ସତ୍ତ୍ୱେ ଯାତ୍ରୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟି ନ ଥିଲା । ସଙ୍ଗେ ସଙ୍ଗେ କରାଚିରେ ଏୟାର ଟ୍ରାଫିକ ନିୟନ୍ତ୍ରଣ (ଏଟିସି) ସହିତ ଯୋଗାଯୋଗ କରାଯାଇଥିଲା ।
ସୂତ୍ର ଜଣାପଡ଼ିଛି ଯେ ଏୟାର ଟ୍ରାଫିକ୍ ନିୟନ୍ତ୍ରଣ ମାନବିକତା ଦୃଷ୍ଟିରୁ ଇଣ୍ଡିଗୋ ବିମାନକୁ କରାଚିରେ ଅବତରଣ କରିବାକୁ ଅନୁମତି ଦେଇଥିଲା । ଏହା ପରେ ଯାତ୍ରୀଙ୍କ ଏମରଜେନ୍ସି ଚିକିତ୍ସା ପାଇଁ ଏକ ଡାକ୍ତରୀ ଦଳ ବିମାନ ବନ୍ଦରରେ ପହଞ୍ଚିଥିଲା । ଯାତ୍ରୀଙ୍କ ଚିକିତ୍ସା ପରେ ବିମାନଟି କରାଚିରୁ ବାହାରିଥିଲେ ମଧ୍ୟ ଜେଦ୍ଦା ଯିବା ପରିବର୍ତ୍ତେ ନୂଆଦିଲ୍ଲୀ ଫେରି ଆସିଥିଲା ।
ପୂର୍ବରୁ ମଧ୍ୟ ଏହିପରି ଜରୁରୀକାଳୀନ ପରିସ୍ଥିତିରେ ପାକିସ୍ତାନରେ ଅନେକ ଥର ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଛି । ଗତ ନଭେମ୍ବରରେ ହାଇଦ୍ରାବାଦରୁ ଜେଦ୍ଦା ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନ କରାଚିରେ ଅବତରଣ କରିଥିଲା । ଏଠାରେ ମଧ୍ୟ ମେଡିକାଲ୍ ଏମରଜେନ୍ସି ହେତୁ ବିମାନଟି ଜରୁରୀ ଅବତରଣ କରିଥିଲା ।