ଇନ୍ଦୋର ଓ ସୁରତକୁ ମିଳିଲା ଶ୍ରେଷ୍ଠ ସ୍ମାର୍ଟସିଟି ପୁରସ୍କାର

ସୁରତକୁ ପୁଣି ମିଳିଲା ଶ୍ରେଷ୍ଠ ସ୍ମାର୍ଟ ସିଟିର ମାନ୍ୟତା । ୨୦୨୦ରେ ଶ୍ରେଷ୍ଠ ୧୦୦ ତାଲିକାରେ ଶୀର୍ଷରେ ରହିଛି ସୁରତ । ପରିବେଶ, ସାମାଜିକ ମନୋଭାବ, ପ୍ରଶାସନ, ସଂସ୍କୃତି, ପରିଷ୍କାର ପରିଚ୍ଛନ୍ନତା, ଜଳର ସର୍ବୋତ୍ତମ ଯୋଗାଣ ଦୃଷ୍ଟିକୁ ଦେଖି ଏହି ସହରକୁ ଶ୍ରେଷ୍ଠ ସ୍ମାର୍ଟ ସିଟି ମାନ୍ୟତା ମିଳିଛି । ଏଥି ସହିତ କେନ୍ଦ୍ର ସହରୀ ବିକାଶ ମନ୍ତ୍ରଣାଳୟର ଇଣ୍ଡିଆ ସ୍ମାର୍ଟ ସିଟିଜ୍ ପ୍ରତିଯୋଗିତାରେ ୟୁପିକୁ ଶ୍ରେଷ୍ଠ ରାଜ୍ୟ ଭାବେ ପ୍ରଥମ ସ୍ଥାନ ମିଳିଥିବା ବେଳେ ମଧ୍ୟପ୍ରଦେଶ ଓ ତାମିଲନାଡ଼ୁ ୨ୟ ଓ ୩ୟ ସ୍ଥାନରେ ରହିଛି ।

ସେହିପରି କେନ୍ଦ୍ରଶାସିତ ପ୍ରଦେଶ ମଧ୍ୟରେ ଚଣ୍ଡିଗଡ଼ ପ୍ରଥମ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ସୁରତ ସହିତ ଇନ୍ଦୋରକୁ ମଧ୍ୟ ସର୍ବଶ୍ରେଷ୍ଠ ସ୍ମାର୍ଟସିଟି ରୂପେ ପୁରସ୍କୃତ କରାଯାଇଛି । ସ୍ମାର୍ଟସିଟି ମିଶନ୍‌, ଅମୃତ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନାର ୬ବର୍ଷ ପୂର୍ତ୍ତି ଅବସରରେ ଶୁକ୍ରବାର ଏହି ପୁରସ୍କାରର ଘୋଷଣା କରାଯାଇଛି ।

Surat

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୫ ଜୁନ୍ ୨୫ ତାରିଖରେ ଏହି ସମସ୍ତ ଯୋଜନାର ଶୁଭାରମ୍ଭ କରିଥିଲେ । ଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟଙ୍କୁ ଏହି ପୁରସ୍କାରରେ ସାମିଲ କରାଯାଇଥିବା ବେଳେ ଓଭର୍‌ଅଲ୍ ପ୍ରଦର୍ଶନ ସହ ସ୍ମାର୍ଟସିଟି ବିକାଶରେ ସକ୍ରିୟ ଭୂମିକା ପାଇଁ ୟୁପି ପ୍ରଥମ ପୁରସ୍କାର ହାତେଇଛି । ୟୁପି ନିଜ ଉଦ୍ୟମରେ ରାଜ୍ୟରେ ୭ଟି ଅଧିକ ସହରକୁ ସ୍ମାର୍ଟସିଟି ଭାବେ ବିକଶିତ କରିଛି । ଏଗୁଡ଼ିକ ହେଉଛି ମିରଟ, ଗାଜିଆବାଦ, ଅଯୋଧ୍ୟା, ଫିରୋଜାବାଦ, ଗୋରଖପୁର, ମଥୁରା, ବୃନ୍ଦାବନ ଓ ସାହରନ୍‌ପୁର । ତେବେ ଚଳିତବର୍ଷ ଏଥିରେ କେତେକ ଅନ୍ୟ କାଟାଗୋରୀକୁ ସ୍ଥାୟୀ ବିଜନେସ୍ ମଡେଲ୍ ଭାବେ ଯୋଡ଼ା ଯାଇଥିଲା ।

ସହରୀ ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏହି ପୁରସ୍କାର ଘୋଷଣା କରିଥିଲେ । ସୂଚନାଯୋଗ୍ୟ, ୨୦୧୯ରେ ବି ସୁରତକୁ ଶ୍ରେଷ୍ଠ ସ୍ମାର୍ଟ ସିଟି ସମ୍ମାନ ମିଳିଥିଲା । ଏହି ପୁରସ୍କାର ପ୍ରଦାନ ୨୦୧୮ ରୁ ପ୍ରଦାନ କରାଯାଇ ଆସୁଛି । ସହରଗୁଡ଼ିକର ବ୍ୟବସ୍ଥାରେ ସୁଧାର ପାଇଁ ସେମାନଙ୍କ ପକ୍ଷରୁ କ’ଣ କ ‘ଣ ନୂଆ ପ୍ରୟୋଗ କରାଯାଇଛି, ଏହା ଜଣାଇବା ପାଇଁ ଇଣ୍ଡିଆ ସ୍ମାର୍ଟ ସିଟିଜ୍ ଆୱାର୍ଡ କଣ୍ଟେଷ୍ଟ ମାଧ୍ୟମରେ ସହରଗୁଡ଼ିକୁ ସୁଯୋଗ ମିଳିଥାଏ ବୋଲି ଶ୍ରୀ ପୁରୀ କହିଥିଲେ ।

ଚଳିତବର୍ଷ କରୋନା କଣ୍ଟ୍ରୋଲ୍ ସେଣ୍ଟରକୁ ମଧ୍ୟ ଆଧାର ରୂପେ ଗ୍ରହଣ କରାଯାଇଥିଲା । ଏହା ବ୍ୟତୀତ ଇଣ୍ଟେଲିଜେନ୍ସ ଟ୍ରାଫିକ୍ ମ୍ୟାନେଜମେଣ୍ଟ, ଅର୍ବାନ୍ ଏନ୍‌ଭାରନ୍‌ମେଣ୍ଟ, ସ୍ମାର୍ଟ ୱାଟର୍ ମ୍ୟାନେଜମେଣ୍ଟ, ୱେଷ୍ଟ ଟୁ ଏନର୍ଜି ଜେନେରେସନ୍ ଏବଂ ଅନ୍ୟ କେତେକ ମାନକକୁ ମଧ୍ୟ ସାମିଲ କରାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.