ମା’ର ଅବସ୍ଥା ଦେଖି ଚୋର ଫେରାଇଲା ୩ ଦିନ ତଳେ ଚୋରି ହୋଇଥିବା ଶିଶୁ, ବ୍ୟାଗ୍‌ରେ ରାସ୍ତା ଉପରୁ ମିଳିଲା ନବଜାତ

ମିଳିଲା ଚୋରି ହୋଇଥିବା ୩ ଦିନର ଶିଶୁ। ରାଜସ୍ଥାନର ବାଡମେର ଜିଲ୍ଲା ହସ୍ପିଟାଲରେ ୩ ଦିନ ତଳେ ଚୋରି ହୋଇଥିବା ୩ ଦିନର ଶିଶୁ ମିଳିଛି। ହସ୍ପିଟାଲ ବାହାରେ କେହି ଜଣେ ଉକ୍ତ ଶିଶୁକୁ ବ୍ୟାଗ୍‌ରେ ପୂରାଇ ସୁରକ୍ଷିତ ଭାବେ ଛାଡ଼ି ଦେଇ ଯାଇଛି। ତେବେ ଶିଶୁଟି ଉଦ୍ଧାର ହେବା ବେଳକୁ ତା’ର ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତର କହିଛନ୍ତି।

ରିପୋର୍ଟ ମୁତାବକ, ପିଲା ଚୋରି ହେବା ପରେ ତା’ ବାପା ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ମାତ୍ର କେହି ଏଥିପ୍ରତି ଏତେଟା ଗୁରୁତ୍ୱର ସହ ନଜର ଦେଇନଥିଲେ। ଏଣୁ ସେ ବାଧ୍ୟ ହୋଇ ପୋଲିସରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ହସ୍ପିଟାଲରେ ପହଞ୍ଚି ତଦନ୍ତ କରିଥିଲା। ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି ହସ୍ପିଟାଲର କୌଣସି ସିସିଟିଭି କ୍ୟାମେରା କାମ କରୁନଥିଲା। ସେହିପରି କୌଣସି ସୁରକ୍ଷାକର୍ମୀ ମଧ୍ୟ ସେଦିନ ଡ୍ୟୁଟିରେ ନଥିଲେ। କର୍ତ୍ତବ୍ୟରେ ଅବହେଳା ଯୋଗୁ ଜିଲ୍ଲାପାଳ ହସ୍ପିଟାଲର ଜଣେ ନର୍ସଙ୍କୁ ନିଲମ୍ବିତ କରିଛନ୍ତି।

ଅନ୍ୟପଟେ କିଏ ଓ କାହିଁକି ପିଲାଟିକୁ ଚୋରି କରିଥିଲା ଏବଂ ପୁଣିଥରେ କାହିଁକି ଆଣି ଫେରାଇ ଦେଇ ଗଲା ସେ ନେଇ ପୋଲିସ ତଦନ୍ତ ଚଳାଇଛି। ତେବେ କୁହାଯାଉଛି ଯେ ଶିଶୁଟି ଚୋରି ହେବା ପରେ ତା’ ମା’ଙ୍କର କାନ୍ଦି କାନ୍ଦି ଅବସ୍ଥା ବେହାଲ ହୋଇଯାଇଥିଲା। ଏଣୁ ମା’ ଉପରେ ଦୟା କରି କିଡନାପର ଛୁଆକୁ ଫେରାଇ ଦେଇଛି। ତେବେ ପୋଲିସ ଅଧୀକ୍ଷକ ଆନନ୍ଦ ଶର୍ମାଙ୍କ କହିବାନୁସାରେ ଝିଅଟି ଦିନ ସାରା ବ୍ୟାଗ୍‌ରେ ନଥିଲା। ବରଂ କେହି ତାକୁ ଅତି ଯତ୍ନରେ ଖୁଆଇ ପିଆଇ ଲାଳନପାଳନ କରିଥିଲା। ଏଣୁ କିଡନାପର କିଏ ଓ ସେ ପିଲାଟିକୁ କେଉଁ କେଉଁ ଜାଗାକୁ ନେଇଥିଲା ସେ ଆଧାରରେ ତଦନ୍ତ କରାଯାଉଛି।

You might also like