ଭାରତ-ପାକ୍ ସୀମାରେ କରୁଣ ଦୃଶ୍ୟ, ମାଆ ଭାରତରେ ହେଲେ ପିଲା ଯାଉଛନ୍ତି ପାକିସ୍ତାନ

ଅଲଗା ହେଉଛନ୍ତି ମାଆ ଆଉ ପିଲା । ଆଖିଲୁହରେ ଭିଜୁଛି ସୀମା । କିଏ ଭାରତରେ ରହି ଯାଉଛି ତ ଆଉ କିଏ ପାକିସ୍ତାନ ଯିବାକୁ ବାଧ୍ୟ ହେଉଛି । ପିଲା କାନ୍ଦି କାନ୍ଦି କହୁଛି … ମୁଁ ମାଆକୁ ଛାଡ଼ି ଯିବି ନାହିଁ । ହେଲେ ସରକାରୀ ନିର୍ଦ୍ଦେଶନାମା କିନ୍ତୁ ସମ୍ପର୍କକୁ ବୁଝୁ ନାହିଁ । କାରଣ ପିଲାଙ୍କ ଘର ପାକିସ୍ତାନରେ ଆଉ ମାଆ ହିନ୍ଦୁସ୍ତାନୀ । ଏବେ ୱାଘା ଓ ଅଟ୍ଟାରୀ ସୀମାରେ ଏଭଳି କରୁଣ ଚିତ୍ର ଦେଖିବାକୁ ମିଳୁଛି ।

ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଅଟାରୀ ସୀମାକୁ ବନ୍ଦ କରି ଦିଆଯାଇଛି । ପାକିସ୍ତାନ ସୀମାରେ ପ୍ରବେଶ ପାଇଁ କୌଣସି ବ୍ୟବସ୍ଥା ନାହିଁ I ଭାରତରେ ଥିବା ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ କରାଯାଇଛି । ଅନେକ ପାକିସ୍ତାନୀ ଭାରତରେ ରହି ଆସୁଥିବା ବେଳେ ତାଙ୍କୁ ସମୟସୀମା ଭିତରେ ଯଥାଶୀଘ୍ର ପାକିସ୍ତାନକୁ ଫେରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାରି ଭିତରେ କିନ୍ତୁ ଭାରତ-ପାକିସ୍ତାନ ସୀମାର ଏଭଳି କରୁଣ ଦୃଶ୍ୟ ପରିସ୍ଥିତିକୁ ଖୁବ୍ ଗମ୍ଭୀର କରି ତୋଳିଛି । ଏହାରି ଭିତରେ ଏକ ହୃଦୟସ୍ପର୍ଶୀ କାହାଣୀ ସାମ୍ନାକୁ ଆସିଛି । ଅନେକ ପାକିସ୍ତାନୀ ପିଲାଙ୍କୁ ସେମାନଙ୍କ ମା’ଠାରୁ ଅଲଗା କରାଯାଇଛି । ଫଳରେ ପିଲାମାନେ ଏକୁଟିଆ ପାକିସ୍ତାନ ଫେରିବାକୁ ବାଧ୍ଯ ହେଉଛନ୍ତି। ସେହିପରି ଭାରତୀୟ ପିଲା ମଧ୍ୟ ପାକିସ୍ତାନୀ ମା’ ଠାରୁ ଅଲଗା ହୋଇ ଯାଇଛନ୍ତି । ସେ ପିଲାକୁ ଛାଡ଼ି ପାକିସ୍ତାନ ଯାଉଛନ୍ତି । କିନ୍ତୁ ଏହି ଯିବା ସମୟର ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଛି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ।

କୁନି ପିଲାଟି ତା’ ମା’କୁ ଧରି ଭୋ ଭୋ ହୋଇ କାନ୍ଦୁଛି । ମାମା’ ତୁମ ବିନା କେମିତି ରହିବି ? ମୋତେ ଛାଡ଼ି ଯାଆନି । କାନ୍ଦି କାନ୍ଦି ମା’କୁ ଜାବୁଡ଼ି ଧରି ଛାଡ଼ିବାକୁ ନାରାଜ । ଯେଉଁ ଦୃଶ୍ୟ ଦେଖିଲେ ଆଖିରୁ ଧାର ଧାର ଲୁହ ବୋହିଯିବ । ଗଣ ମାଧ୍ୟମ ସମ୍ମୁଖରେ କୁନି ବାଳକର ମା’ କହୁଛନ୍ତି, ମୁଁ ୧୦ ବର୍ଷ ପୂର୍ବରୁ ଦିଲ୍ଲୀରେ ବିବାହ କରିଥିଲି । କୋଭିଡ୍ ସମୟରେ ମୋର ଭିସାର ଅବଧି ଶେଷ ହୋଇଗଲା । କିନ୍ତୁ ପହଲଗାମରେ ଆକ୍ରମଣ ଯୋଗୁଁ ମୋତେ ଦେଶ ଛାଡିବାକୁ କୁହାଯାଇଛି । ସେଠାରେ ଯାହା ଘଟିଛି ତାହା ଭୁଲ, କିନ୍ତୁ ଏଥିପାଇଁ ଆମକୁ ଦଣ୍ଡ ଦିଆଯିବା ଉଚିତ୍ ନୁହେଁ…

ସେହିପରି ୧୧ ବର୍ଷୀୟା ଜୈନବ ଏବଂ ୮ ବର୍ଷୀୟା ଜାନିଶ ସେମାନଙ୍କ ଆଈଙ୍କୁ ଭେଟିବା ପାଇଁ ଦିଲ୍ଲୀ ଆସିଥିଲେ I ଏବେ ପରିସ୍ଥିତି ଏପରି ହୋଇଯାଇଛି ଯେ ତାଙ୍କୁ ତାଙ୍କ ମାଆଙ୍କଠାରୁ ଅଲଗା ହୋଇ ପାକିସ୍ତାନ ଫେରିବାକୁ ପଡ଼ୁଛି । କାରଣ ତାଙ୍କ ମାଆଙ୍କ ପାଖରେ ଭାରତୀୟ ପାସପୋର୍ଟ ଅଛି । ଯେତେବେଳେ ପିଲାମାନେ ପାକିସ୍ତାନର ନାଗରିକ । ଜୈନବ କହୁଛନ୍ତି ଯେ ସେ ତାଙ୍କ ମାଆଙ୍କ ବିନା ଫେରି ଆସୁଛି । ମୋର ହୃଦୟ ଭାଙ୍ଗି ଯାଇଛି। ଏହି ଝିଅଟି ଘରୁ ତାଙ୍କ ବାପାମାଙ୍କ ସହ ଭାରତ ଆସିଥିଲା ଏବଂ ଏବେ ମା ବିନା ପାକିସ୍ତାନ ଫେରି ଯାଉଛନ୍ତି ।

ଜୈନବ ଆହୁରି ମଧ୍ୟ କହୁଛନ୍ତି ,ଏବେ ମୋ ମାଆ ଫେରିପାରିବେ ନାହିଁ। ମାଆଙ୍କ ପାଖରେ ଭାରତୀୟ ପାସପୋର୍ଟ ଅଛି ଏବଂ ଆମ ସମସ୍ତଙ୍କ ପାଖରେ ପାକିସ୍ତାନୀ ପାସପୋର୍ଟ । ମାଆ ବିନା ବଞ୍ଚିବା ବହୁତ କଷ୍ଟକର । ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରିଥିବା ଆତଙ୍କବାଦୀମାନଙ୍କୁ କଠୋରତମ ଦଣ୍ଡ ଦିଆଯିବା ଉଚିତ । ଏତେ କଠୋର ଦଣ୍ଡ ଦିଆଯିବା ଦରକାର ଯେ ସେମାନେ ଏହାକୁ ସାରା ଜୀବନ ମନେ ରଖିବେ । ଅତି କମରେ ଆମ ପରି ସାଧାରଣ ଲୋକଙ୍କୁ ହଇରାଣ ନ ହେବାକୁ ପଡ଼ିବ ।

କୁନି ମହମ୍ମଦ ଆଲାୟନଙ୍କ କାହାଣୀ ମଧ୍ଯ ଭିନ୍ନ ନୁହେଁ । ଆଲାୟନ କହିଛନ୍ତି ଯେ, ମୋ ମାଆଙ୍କୁ ଭାରତରେ ଛାଡି ଦିଆଯାଉଛି ଏବଂ ମୁଁ ଏକା ପାକିସ୍ତାନ ଯାଉଛି । ଆଲୟନ ଆହୁରି କହିଛନ୍ତି, ମୋ ମାଆଙ୍କ ପାଖରେ ଭାରତୀୟ ପାସପୋର୍ଟ ଅଛି ବୋଲି ସେ ଭାରତରେ ରହୁଛନ୍ତି। ମୁଁ ମାଆ ବିନା ଫେରିଯାଉଛି । ମୁଁ ମୋ ମାଆ ବିନା ବଞ୍ଚିପାରିବି ନାହିଁ । ମୁଁ ଆବେଦନ କରୁଛି ଯେ ମୋ ମାଆଙ୍କୁ ପାକିସ୍ତାନ ଆସିବାକୁ ଅନୁମତି ଦିଆଯାଉ। ଆଲାୟନଙ୍କ ବାପା ମହମ୍ମଦ ଇରଫାନ କହିଛନ୍ତି ଯେ ତାଙ୍କ ପରିବାର ଗତ ମାସରେ କରାଚୀରୁ ଭାରତ ଆସିଥିଲେ । ଏବେ ସେ ତାଙ୍କ ପିଲାମାନଙ୍କ ସହିତ ପାକିସ୍ତାନ ଫେରୁଛନ୍ତି କିନ୍ତୁ ତାଙ୍କ ସ୍ତ୍ରୀ ନବିଲାଙ୍କ ପାଖରେ ଭାରତୀୟ ପାସପୋର୍ଟ ଅଛି। ସେଥ‌ିପାଇଁ ତାଙ୍କୁ ଭାରତରେ ରହିବାକୁ ପଡିବ। ମୋ ପିଲାମାନଙ୍କ ହୃଦୟ ଭାଙ୍ଗି ଯାଇଛି । ଆତଙ୍କବାଦୀମାନେ ଆମ ଜୀବନକୁ ନଷ୍ଟ କରିଦେଇଛନ୍ତି। ଏହି ଆତଙ୍କବାଦୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ।

ସେହିପରି ମହମ୍ମଦ ଇମ୍ରାନ ତାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କ ସହିତ ଭାରତ ଆସିଥିଲେ । ସେ କହିଛନ୍ତି ମୋ ପତ୍ନୀ ଶରମିନ୍ ଗତ ୧୮ ବର୍ଷ ଧରି ପାକିସ୍ତାନରେ ରହୁଥିଲେ, କିନ୍ତୁ ଆଜି ତାଙ୍କୁ ପାକିସ୍ତାନ ଫେରିବାକୁ ଅନୁମତି ଦିଆଯାଉନାହିଁ କାରଣ ତାଙ୍କ ପାଖରେ ଭାରତୀୟ ଭିସା ଅଛି । ଆମେ ବହୁତ ଫସି ଯାଇଛୁ। ପ୍ରଧାନମନ୍ତ୍ରୀ ମୋଦି ଆମକୁ ସାହାଯ୍ୟ କରିବାକୁ ଅନୁରୋଧ କରୁଛୁ । ପିଲାମାନେ ତାଙ୍କ ମାଆ ବିନା ରହିପାରିବେ ନାହିଁ ।

Also read:ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ହାସିମ ମୁସା, ପାକିସ୍ତାନ ସେନାର ପୂର୍ବତନ କମାଣ୍ଡୋ