ମହାକୁମ୍ଭରେ ଡ୍ୟୁଟି କରିବା ବେଳେ ଚାଲିଗଲା ଇନ୍ସପେକ୍ଟରଙ୍କ ଜୀବନ, ଶାହି ସ୍ନାନ ଦିନ ହୋଇଥିଲେ ଅସୁସ୍ଥ

ମହାକୁମ୍ଭରେ ଡ୍ୟୁଟି କରିବା ବେଳେ ଚାଲିଗଲା ଇନ୍ସପେକ୍ଟରଙ୍କ ଜୀବନ । ତ୍ତରପ୍ରଦେଶର ପ୍ରୟାଗରାଜରେ ଡ୍ୟୁଟି କରୁଥିବା ସମୟରେ ଜଣେ ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇଯାଇଛି । ମୃତ ଇନ୍ସପେକ୍ଟରଙ୍କ ନାମ ଅଞ୍ଜନି କୁମାର ରାଏ ବୋଲି ଜଣାପଡ଼ିଛି । ବହରାଇଚ ଜିଲ୍ଲାର ଅତିରିକ୍ତ ଏସପି ଦୁର୍ଗା ପ୍ରସାଦ ତିୱାରୀ ଏହି ଦୁଃଖ ପ୍ରକାଶ କରିଛନ୍ତି ।

ଖବର ମୁତାବକ, ମହାକୁମ୍ଭରେ ଡ୍ୟୁଟି କରୁଥିବା ବେଳେ ଇନ୍ସପେକ୍ଟର ଅଞ୍ଜନୀ କୁମାରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଅପରାହ୍ନ ୧୨ଟାରେ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଞ୍ଜନୀଙ୍କ ପରିବାର ଲୋକଙ୍କୁ ଇନ୍ସପେକ୍ଟରଙ୍କ ମୃତ୍ୟୁ ଖବର ଦିଆଯାଇଥିଲା । ଇନ୍ସପେକ୍ଟରଙ୍କ ମୃତ୍ୟୁ ପରେ ନିୟମ ଅନୁଯାୟୀ ତାଙ୍କର ବ୍ୟବଚ୍ଛେଦ କରାଯାଇଛି ।

ଏଥିସହିତ ମୃତ ଅଞ୍ଜନୀଙ୍କ ପରିବାର ଲୋକଙ୍କୁ ଏଭଳି ଦୁଃଖ ସମୟରେ ସାହାଯ୍ୟ ଲୋଡା ତାହା ପୋଲିସ ବିଭାଗ ଦେବାକୁ ପ୍ରସ୍ତୁତ ଅଛି ବୋଲି ବହରାଇଚ ଜିଲ୍ଲାର ଅତିରିକ୍ତ ଏସପି ଦୁର୍ଗା ପ୍ରସାଦ ତିୱାରୀ କହିଛନ୍ତି।

ଶ୍ରଦ୍ଧାଳୁମାନେ ତ୍ରିବେଣୀ ସଙ୍ଗମକୁ ମୌନୀ ଅମାବାସ୍ୟାରେ ଶାହି ସ୍ନାନ ପାଇଁ ଆସିଥିବା ବେଳେ ଦଳାଚକଟା ପରିସ୍ଥିତି ଉପୁଜିଥିଲା । ଏହି ଦଳାଚକଟାରେ ୩୦ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ମୃତକଙ୍କ ମଧ୍ୟରେ ଇନ୍ସପେକ୍ଟର ଅଞ୍ଜନୀ କୁମାର ଥିବା ନେଇ ଗୁଜବ ପ୍ରଚାର ହୋଇଥିଲା । କିନ୍ତୁ ପରେ ଜଣାପଡ଼ିଥିଲା କି ଇନ୍ସପେକ୍ଟରଙ୍କ ମୃତ୍ୟୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ହୋଇଥିଲା ।

ମୃତକ ଅଞ୍ଜନୀ କୁମାର ଗାଜିପୁରର ମୂଳବାସିନ୍ଦା । ବର୍ତ୍ତମାନ ବହରାଇଚରେ ନିୟୋଜିତ ଥିଲେ । ସେ ପରିବାର ସହିତ ଗୋରଖପୁରରେ ରହୁଥିଲେ । ତାଙ୍କ ମୃତ୍ୟୁରେ ପରିବାର ଏବଂ ପୋଲିସ ମାହୋଲରେ ଦୁଃଖର ଛାୟା ଖେଳିଯାଇଛି ।

AlsoRead : ଅର୍ଥ ଅଭାବରୁ ଅନ୍ତିମ ସଂସ୍କାର କରିବାକୁ ଡରିଲେ, ମା’ର ମୃତଦେହ ସହିତ ୧୦ ଦିନ ରୁମରେ ରହିଲେ ଦୁଇ ଭଉଣୀ