Reel କରୁଥିବା ବେଳେ ଖସିଗଲା ଗୋଡ଼, ୩୦୦ ଫୁଟ୍‌ ଗଭୀର ଖାଇକୁ ଖସି ଇନ୍‌ଷ୍ଟାଗ୍ରାମ ଇନ୍‌ଫ୍ଲୁଏନ୍ସରଙ୍କ ମୃତ୍ୟୁ

ରିଲ୍‌ କରୁଥିବା ବେଳେ ୩୦୦ ଫୁଟ୍‌ ଗଭୀର ଖାଇକୁ ଖସି ଇନ୍‌ଷ୍ଟାଗ୍ରାମ ଇନ୍‌ଫ୍ଲୁଏନ୍ସର ଆନ୍‌ଭି କାମଦାରଙ୍କ ମୃତ୍ୟୁ ଘଟିଛି । ଆନ୍‌ଭି ଇନ୍‌ଷ୍ଟାଗ୍ରାମରେ ଜଣେ ଲୋକପ୍ରିୟ ଟ୍ରାଭେଲ୍‌ ଇନ୍‌ଫ୍ଲୁଏନ୍ସର ଥିଲେ । ଘଟଣା ଘଟିଛି ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ । ଆନ୍‌ଭି ନିଜ ସାଙ୍ଗମାନଙ୍କ ସହିତ ଏଠାକୁ ବୁଲିବାକୁ ଆସିଥିଲେ । ମାନଗାଁଓରେ କୁମ୍ଭେ ଝରଣା ନିକଟରେ ସେ ରିଲ୍‌ କରୁଥିବା ବେଳେ ହଠାତ୍‌ ତାଙ୍କ ଗୋଡ଼ ଖସିଯାଇଥିଲା ଏବଂ ସେ ୩୦୦ ଫୁଟ୍‌ ଗଭୀର ଖାଇକୁ ଖସି ପଡ଼ିଥିଲେ ।

୨୭ ବର୍ଷୀୟା ଆନ୍‌ଭି ପେଶାରେ ଥିଲେ ଚାର୍ଟର୍ଡ ଆକାଉଣ୍ଟାଣ୍ଟ୍‌ ଏବଂ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର । ଇନ୍‌ଷ୍ଟାଗ୍ରାମରେ ତାଙ୍କର ଅଢ଼େଇ ଲକ୍ଷ ଫଲୋୟର୍ସ ରହିଥିବା ବେଳେ ନିଜ ପେଜ୍‌ @theglocaljournalରେ ସେ ଟ୍ରାଭେଲ୍‌ ସହ ଜଡ଼ିତ ଅନେକ ଫଟୋ ଏବଂ ରିଲ୍‌ ସେୟାର କରୁଥିଲେ ।

ଏହି ଘଟଣା ଜୁଲାଇ ୧୬ର । ମାନଗାଁଓ ଥାନାର ଜଣେ ଅଧିକାରୀ କହିଛନ୍ତି ଯେ ଆନ୍‌ଭି କାମଦାର ମୁମ୍ବାଇ ମୁୁଲୁନ୍ଦ ଅଞ୍ଚଳର ବାସିନ୍ଦା । ସେ ବର୍ଷା ସମୟରେ ନିଜ ସାଙ୍ଗମାନଙ୍କ ସହିତ ରାୟଗଡ଼ ଯାଇଥିଲେ । ଆଖପାଖର ମନୋରମ ଦୃଶ୍ୟର ଭିଡିଓ ତିଆରି କରୁଥିବା ବେଳେ ହଠାତ୍‌ ତାଙ୍କ ଗୋଡ଼ ଖସିଯାଇଥିଲା ଏବଂ ସେ ଗଭୀର ଖାଇକୁ ଖସି ପଡ଼ିଥିଲେ । ସାଙ୍ଗମାନେ ଏ ନେଇ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ସହ ଉଦ୍ଧାରକାରୀ ଟିମ୍‌ ଏବଂ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ଆନ୍‌ଭିଙ୍କୁ ଖାଇରୁ ବାହାର କରାଯାଇ ମାନଗାଁଓ ତାଲୁକାର ସରକାରୀ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଆନ୍‌ଭି ଇନ୍‌ଷ୍ଟାଗ୍ରାମରେ ଆକ୍ଟିଭ୍‌ ରହୁଥିଲେ । ତାଙ୍କୁ ଭ୍ରମଣର ବହୁତ ସଉକ ଥିଲା । ଏଥିପାଇଁ ସେ ଏଠାରେ ଅନେକ ରିଲ୍‌ ସେୟାର କରୁଥିଲେ । ୟୁଜରମାନେ ମଧ୍ୟ ତାଙ୍କ ରିଲ୍‌କୁ ବହୁତ ପସନ୍ଦ କରୁଥିଲେ । ବର୍ତ୍ତମାନ ଆନ୍‌ଭିଙ୍କ ମୃତ୍ୟୁ ଖବର ତାଙ୍କ ଫଲୋୟର୍ସଙ୍କୁ ଗଭୀର ଆଘାତ ଦେଇଛି ।

You might also like