ପଢ଼ାଇବା ବଦଳରେ ପିଲାଙ୍କୁ ହାତ ଗୋଡ଼ ମୋଡ଼ାଉଥିଲେ ଦିଦି, ଭିଡିଓ ଭାଇରାଲ ହେବା ପରେ ଶିକ୍ଷୟିତ୍ରୀ ବିଦା

ସ୍କୁଲରେ ପାଠ ପଢ଼ାଇବା ବଦଳରେ ପିଲାଙ୍କୁ ସେବା କରାଉଛନ୍ତି ଶିକ୍ଷୟିତ୍ରୀ। ହାତ ଗୋଡ଼ ମୋଡ଼ାଇବା ସହ ମସାଜ୍‌ କରାଉଛନ୍ତି। ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ ଏବେ ଦିଦିଙ୍କ ଚାକିରି ଯାଇଛି। ଏଭଳି ଘଟଣା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶର ହାଦୋଇ ଜିଲ୍ଲାର ଏକ ପ୍ରାଥମିକ ବିଦ୍ୟାଳୟରେ। ସ୍କୁଲରେ ଦିଦି ପିଲାଙ୍କୁ ଡରାଇ ଧମକାଇ କ୍ଲାସ୍‌ ରୁମ୍‌ରେ ସେବା କରୁଥିବା ବେଳର ଭିଡିଓ ଏବେ ଭାଇରାଲ ହେଉଛି। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଛି। ମାମଲାର ତଦନ୍ତ ଦାୟିତ୍ୱ ଉଚ୍ଚ ଶିକ୍ଷା ଅଧିକାରୀଙ୍କୁ ଦିଆଯାଇଥିବା ଜଣାଯାଇଛି।

ରିପୋର୍ଟ ମୁତାବକ, ପ୍ରାଥମିକ ସ୍କୁଲରେ ମୁତୟନ ସହାୟକ ଶିକ୍ଷୟିତ୍ରୀ ଉର୍ମିଳା ସିଂହ ଏକ ଛୁଆକୁ ନିଜ ହାତ ମାଲିସ କରାଉଥିବାର ଦେଖାଯାଇଛି। ଚଳିତ ମାସରେ ସ୍କୁଲ ନିରୀକ୍ଷଣ ବେଳେ ସେ ୨ ଥର ଅନୁପସ୍ଥିତ ଥିବା ଜଣାଯାଇଛି। ୧୪ ତାରିଖରେ ସ୍କୁଲର ପ୍ରଧାନଶିକ୍ଷକ ତାଙ୍କ ବିରୋଧରେ ଅନ୍ୟ କର୍ମଚାରୀଙ୍କୁ ଖରାପ ବ୍ୟବହାର ଓ ଅନିୟମିତତା କରୁଥିବା ନେଇ ବିଇଓଙ୍କୁ ଅଭିଯୋଗ କରିଥିଲେ। ଏହି ଶିକ୍ଷୟିତ୍ରୀଙ୍କ ବିରୋଧରେ ପୂର୍ବରୁ ମଧ୍ୟ ପିଲାଙ୍କ ସହ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ଆସିଥିଲା।

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ କ୍ଲାସ ରୁମ୍‌ରେ ଶିକ୍ଷୟିତ୍ରୀ ଜଣକ ଆରାମରେ ବସିଛନ୍ତି। ସେ ହାତରେ ଏକ ପାଣି ବୋତଲ ଧରିଛନ୍ତି ଓ ପଛରେ ଜଣେ ଛାତ୍ର ଠିଆ ହୋଇ ତାଙ୍କ ହାତ ଘଷୁଛି। ମଝିରେ ମଝିରେ ଶିକ୍ଷୟିତ୍ରୀ ନିଜ ଦବ୍‌ଦବା ଜାହିର କରିବାକୁ ପିଲାଙ୍କୁ ଧମକାଉଥିବା ଦେଖାଯାଇଛି। ଏହି ଭିଡିଓ ଭାଇରାଲ ହେବା ପରେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଛି।

ଏ ନେଇ ସ୍କୁଲର ଜଣେ ଛାତ୍ର କହିଛନ୍ତି, ଦିଦି କ୍ଲାସ୍‌ ରୁମ୍‌ ଭିତରେ ହିଁ ଖାଦ୍ୟ ଖାଇସାରିବା ପରେ ହାତ ଗୋଡ଼ ଧୋଇଥାନ୍ତି। ତା’ ପରେ ପିଲାଙ୍କୁ ତାଙ୍କ ଗୋଡ଼ ଘଷି ମୋଡ଼ି ଦେବାକୁ ନିର୍ଦ୍ଦେଶ ଦେଇଥାନ୍ତି। ପିଲାମାନଙ୍କୁ ସେ ପ୍ରାୟତଃ ମାରପିଟ୍‌ ବି କରନ୍ତି। କେହି ଜଣେ ଏହି ସମୟର ଭିଡିଓ ଉତ୍ତୋଳନ କରି ଭାଇରାଲ କରି ଦେଇଛି।

Also Read: ‘ଏମରଜେନ୍ସି’ରେ ଅବିକଳ ଅଟଳ ବିହାରୀ ବାଜପେୟୀଙ୍କ ଭଳି ନଜର ଆସୁଛନ୍ତି ଶ୍ରେୟସ, ସାମ୍ନାକୁ ଆସିଲା ଫାଷ୍ଟ ଲୁକ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.