ଆଜିଠୁ ବାଂଲାଦେଶରେ ଅନ୍ତରୀଣ ସରକାର, ରାତି ୮ଟାରେ ଶପଥ ନେବେ ମହମ୍ମଦ ୟୁନୁସ

ନୂଆଦିଲ୍ଲୀ:  ଆଜିଠୁ ବାଂଲାଦେଶରେ ଅନ୍ତରୀଣ ସରକାର । ନୋବେଲ ବିଜୟୀ ମହମ୍ମଦ ୟୁନୁସ ଏହାର ନେତୃତ୍ବ ନେବେ । ସେ ବର୍ତ୍ତମାନ ବିଦେଶରେ ଅଛନ୍ତି । ଆଜି ଅପରାହ୍ଣରେ ଢାକାରେ ପହଞ୍ଚିବେ। ଏହା ପରେ ରହିଛି ଅନ୍ତରୀଣ ସରକାରର ଶପଥ ଗ୍ରହଣ ଉତ୍ସବ। ବାଂଲାଦେଶ ସ୍ଥାନୀୟ ସମୟ ରାତି ୮ଟାରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ତେବେ ସରକାରର ପରାମର୍ଶଦାତା ପରିଷଦରେ ରହିପାରନ୍ତି ୧୫ ଜଣ ସଦସ୍ୟ । ଏନେଇ ଘୋଷଣା କରିଛନ୍ତି ସେନା ମୁଖ୍ୟ ଜେନେରାଲ ୱାକର- ଉଜ୍- -ଜମାନ ।

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଶେଖ ହସିନା ବିତାଡ଼ିତ ହେବା ପରେ ଦେଶକୁ ବାଂଲାଦେଶ ସେନା ନିଜ ନିୟନ୍ତ୍ରଣକୁ ନେଇଥିଲା। ୟୁନୁସଙ୍କ ନେତୃତ୍ବରେ ଆଜିଠୁ କାର୍ଯ୍ୟ ଆରମ୍ଭ କରିବ ଅନ୍ତରୀଣ ସରକାର। ଏହି ସରକାର ପାଇଁ ୧୫ ଜଣିଆ ଆଡଭାଇଜରି କାଉନସିଲ୍ ରହିବ। ଗତକାଲି ୟୁନୁସ ବିଦେଶରୁ ଦେଶବାସୀଙ୍କୁ ଶାନ୍ତିରକ୍ଷା ପାଇଁ ଅପିଲ କରିଥିଲେ। ହିଂସା ପରିହାର କରିବାକୁ ଆହ୍ବାନ ଦେଇଥିଲେ। ସରକାରୀ ଚାକିରିରେ ସଂରକ୍ଷଣ ଶେଖ ହସିନାଙ୍କୁ ଗାଦିଚ୍ୟୁତ କରିଛି।

ଅନ୍ୟପଟେ ଅନ୍ତରୀଣ ସରକାର ଗଠନ ସତ୍ତ୍ବେ ଥମୁନି ବାଂଲାଦେଶ ହିଂସା । ଚାକିରିରେ ସଂରକ୍ଷଣ ପ୍ରସଙ୍ଗ ଏପର୍ଯ୍ୟନ୍ତ ୪୦୦ ରୁ ଅଧିକ ଲୋକଙ୍କ ଜୀବନ ନେଲାଣି। ରବିବାର ସାନି ଆନ୍ଦୋଳନ ପରେ ୧୭୦ ଲୋକ ପ୍ରାଣ ହରାଇଲେଣି । ଏବେ ଟାର୍ଗେଟରେ ଆୱାମୀ ଲିଗ୍ ନେତା। ପ୍ରାୟ ୩୦ ଜଣ ଆୱାମୀ ଲିଗ୍ ନେତାଙ୍କୁ ହତ୍ୟା କରାଗଲାଣି। ସଂଖ୍ୟା ଲଘୁ ହିନ୍ଦୁଙ୍କ ଉପରେ ମଧ୍ୟ ଆକ୍ରମଣ ହେଉଛି। ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଭାରତ ପାଇଁ ଚିନ୍ତା ବଢ଼ାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.