ବାଂଲାଦେଶରେ ଅନ୍ତରୀଣ ସରକାର ଗଠନ ପରେ ବର୍ତ୍ତମାନ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ ହିନ୍ଦୁଙ୍କ ଉପରେ ଆକ୍ରମଣକୁ ଘୋର ନିନ୍ଦା କରିବା ସହିତ ଏହା ଜଘନ୍ୟ ଅପରାଧ ବୋଲି କହିଛନ୍ତି । ହିନ୍ଦୁଙ୍କ ଉପରେ ଆକ୍ରମଣକୁ ବରଦାସ୍ତ କରାଯିବନି ବୋଲି ସେ କ୍ଷୋଭର ସହିତ କହିଛନ୍ତି ।
ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଛାତ୍ର ସମାଜକୁ ଆହ୍ଵାନ ଦେଇଛନ୍ତି ମହମ୍ମହ ୟୁନୁସ । ଏ ନେଇ ହିନ୍ଦୁ ଛାତ୍ର ସମାଜ ସହିତ ବୈଠକ ଡାକିଛନ୍ତି ଅନ୍ତରୀଣ ସରକାର ।
ସରକାରଙ୍କ ଗୃହ ବ୍ୟାପାର ପରାମର୍ଶଦାତା ବ୍ରିଗେଡିୟର୍ ଜେନେରାଲ୍ (ଅବସରପ୍ରାପ୍ତ) ଏମ୍ ସଖାୱତ ହୁସେନ୍ ଅଗଷ୍ଟ ୧୯ ସୁଦ୍ଧା ସମସ୍ତ ବେଆଇନ ଅସ୍ତ୍ର ହସ୍ତାନ୍ତର କରିବାକୁ ବିକ୍ଷୋଭକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହିଂସା ସମୟରେ ସୁରକ୍ଷା ବାହିନୀଙ୍କଠାରୁ ଲୁଟି ନିଆଯାଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ।
ବାଂଲାଦେଶୀ ଗଣମାଧ୍ୟମ ‘ଡେଲି ଷ୍ଟାର’ର ରିପୋର୍ଟ ମୁତାବକ, ହୁସେନ୍ କହିଛନ୍ତି ଯେ ଯଦି ଲୁଟ୍ ହୋଇଥିବା ଅସ୍ତ୍ରଶସ୍ତ୍ର ନିକଟସ୍ଥ ଥାନାକୁ ଫେରସ୍ତ କରା ନ ଯାଏ, ତେବେ ଅଧିକାରୀମାନେ ଖୋଜାଖୋଜି କରିବେ । ସର୍ଚ୍ଚ ଅପରେସନ୍ ବେଳେ ଯଦି କାହା ପାଖରୁ ଅନଧିକୃତ ଅସ୍ତ୍ରଶସ୍ତ୍ର ମିଳେ, ତା’ ହେଲେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯିବ ।
ମିଳିତ ସୈନ୍ୟ ହସ୍ପିଟାଲରେ ପାରାମିଲିଟାରୀ ବାଂଲାଦେଶ ଅନସର ସଦସ୍ୟଙ୍କୁ ଭେଟିବା ବେଳେ ହୁସେନ୍ ଏହା କହିଛନ୍ତି । ଦେଶରେ ନୂଆ ସରକାର କ୍ଷମତାକୁ ଆସିବା ପରେ ହିନ୍ଦୁ ବିରୋଧୀ ହିଂସା ତେଜିବାରେ ଲାଗିଛି । ଛାତ୍ରଙ୍କ ବିରୋଧ ପ୍ରଦର୍ଶନ ସମୟରେ ଘଟିଥିବା ହିଂସାରେ ବହୁ ସଂଖ୍ୟକ ଅର୍ଦ୍ଧସୈନିକ ଫୋର୍ସର ଯବାନ ଆହତ ହୋଇଛନ୍ତି ।
ସୂଚନାଥାଉ କି, ବାଂଲାଦେଶରେ ସଂରକ୍ଷଣ ବିରୋଧରେ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିବା ପରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଇସ୍ତଫା ଦେବା ପରେ ହସିନା ଭାରତ ଆସିଥିଲେ । ଏବେ ସେ ଭାରତରେ ଅଛନ୍ତି । ତାଙ୍କୁ ଭାରତ ସରକାରଙ୍କ ତରଫରୁ ସୁରକ୍ଷା ଦିଆଯାଇଛି ।