ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ତାଙ୍କ ଟୁଇଟର ଆକାଉଣ୍ଟକୁ ୭ ଜଣ ମହିଳାଙ୍କୁ ହସ୍ତାନ୍ତର କରିଛନ୍ତି। ଏମାନେ ଏହି ଆକାଉଣ୍ଟ ମାଧ୍ୟମରେ ସେମାନଙ୍କ ଜୀବନଯାତ୍ରାର କଥା ଦିନ ତମାମ ଶେୟାର କରିବେ ବୋଲି ମୋଦି କହିଛନ୍ତି। ଏହାସହିତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଶରୁମ ମହିଳା ନାମରେ ପରିଚିତ ବୀଣା ଦେବୀ, ୧୦୩ ବର୍ଷୀୟ ଆଥଲେଟ ମନ କୌର, ଏବଂ ବାୟୁସେନାର ପ୍ରଥମ ତିନି ମହିଳା ବିମାନ ପାଇଲଟକୁ ନାରୀ ଶକ୍ତି ପୁରସ୍କାରରେ ସମ୍ମାନିତ କରିଛନ୍ତି।
ଏହି କ୍ରମରେ ମୋଦିଙ୍କ ଟୁଇଟର ଆକାଉଣ୍ଟରେ ପ୍ରଥମେ ସ୍ନେହା ମୋହନ ଦାସ ଟୁଇଟ୍ କରିଥିବା ଦେଖାଯାଇଛି। ସ୍ନେହା ଏକ ଭିଡିଓ ଟୁଇଟ୍ କରି ଲେଖିଛନ୍ତି, ସେ ଏକ ଫୁଡ ବ୍ୟାଙ୍କର ସଂସ୍ଥାପିକା। ଦେଶରେ କେହି ଭୋକିଲା ନ ରହୁ ଭାବି ସେ ଏହି ଫୁଡ୍ ବ୍ୟାଙ୍କ ଆରମ୍ଭ କରିବା କଥା ଚିନ୍ତା କରିଥିଲେ। ତାଙ୍କର ଏହି ପ୍ରୟାସ ଫଳରେ ଏବେ ଦେଶରେ ପ୍ରାୟ ୧୮ଟି ଫୁଡ୍ ବ୍ୟାଙ୍କ ପ୍ରତିଷ୍ଠା ହୋଇପାରିଥିବା ସେ କୁହନ୍ତି। ଏତଦ୍ ବ୍ୟତୀତ ଯେଉଁମାନଙ୍କର ଅଧିକ ଖାଦ୍ୟ ବଳକା ରହିଯାଇଥାଏ, ସେମାନେ ମଧ୍ୟ ଫୁଡ୍ ବ୍ୟାଙ୍କକୁ ଖାଦ୍ୟ ଦାନ କରି ଦେଇଥାଆନ୍ତି। ଏବେ ଦେଶ ବାହାରେ ଅର୍ଥାତ୍ ଦକ୍ଷିଣ ଆଫ୍ରିକାରେ ମଧ୍ୟ ଏମିତି ଏକ ଫୁଡ୍ ବ୍ୟାଙ୍କ ଖୋଲିଥିବା କୁହନ୍ତି ସ୍ନେହା।
#WATCH 103-years-old Mann Kaur receives the ‘Nari Shakti Puruskar’ from the President, for her achievements in athletics. #Delhi #InternationalWomen‘sDay pic.twitter.com/8NAADH0SJZ
— ANI (@ANI) March 8, 2020
ପ୍ରଧାନମନ୍ତ୍ରୀ ମୋଦିଙ୍କ ଟୁଇଟର ଆକାଉଣ୍ଟକୁ ସମ୍ଭାଳୁଥିବା ଦ୍ୱିତୀୟ ମହିଳା ହେଲେ ମାଳବିକା ଆୟର। ମାଳବିକା ୧୩ ବର୍ଷ ବୟସରେ ରାଜସ୍ଥାନର ବିକାନେରହୋଇଥିବା ବମବ୍ଲାଷ୍ଟରେ ନିଜର ଦୁଇଟି ହାତ ହରାଇଥିଲେ। ଏହାସହିତ ଦୁଇଟି ଗୋଡ ତାଙ୍କର ଗୁରୁତର ଭାବେ ଆହତ ହୋଇଥିଲା। ଏହି ଘଟଣା ପରେ ନିଜକୁ ଦୃଢ ଭାବେ ଗଢିତୋଳିବା ପାଇଁ ମାଳବିକା ନିଷ୍ପତ୍ତି ନେଇଥିଲେ।