ମଣିପୁରର ୫ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ । ଗତକାଲି ରାତି ପ୍ରାୟ ୧୧.୪୫ରୁ ସମସ୍ତ ଇଣ୍ଟରନେଟ୍ ସେବାକୁ ବିଚ୍ଛିନ୍ନ କରିଦିଆଯାଇଛି । ଆରାମ୍ବାଇ ତେଙ୍ଗଗୋଲ ନାମକ ମୈତେଈ ନେତାଙ୍କ ଗିରଫ ପରେ ଉତ୍ତେଜନା ପ୍ରକାଶ ପାଇଥିବା ଜଣାପଡିଛି । ତେଣୁ ଏପରି ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହ ବିଭାଗର ସଚିବ ଏନ୍ ଅଶୋକ କୁମାର ଏହି ନିଷ୍ପତ୍ତି ଜାରି କରିଛନ୍ତି ।
ସୂଚନାନୁଯାୟୀ, ସୋସିଆଲ ମିଡିଆ ମାଧ୍ୟମରେ ପୁଣି ଅଶାନ୍ତ ମଣିପୁର । ମଣିପୁରର ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ, ଥୌବାଲ, ବିଷ୍ଣୁପୁର ଏବଂ କକଚିଙ୍ଗ ଇଣ୍ଟରନେଟ୍ ସେବାରୁ ବଞ୍ଚିତ ରହିଛନ୍ତି । କାରଣ ମୈତେଇ ନେତାଙ୍କୁ ଗିରଫ ପରେ ମଣିପୁରରେ ସ୍ଥିତି ବିଗିଡ଼ି ଯାଇଛି । ଯାହା ପରେ ଲୋକମାନେ ପ୍ରତିବାଦ କରିବାକୁ ଯାଇ ରାସ୍ତାରେ ଟାୟାର ଏବଂ ପୁରୁଣା ଫର୍ଣ୍ଣିଚର ଜାଳି ଉତ୍ତେଜନାକୁ ବଢାଇଥିଲେ । ଏଥି ସହିତ ଗିରଫ ନେତାଙ୍କୁ ଛାଡିଦେବାକୁ ମଧ୍ୟ ଦାବି କରିଥିଲେ । ବିଷ୍ଣୁପୁର ଜିଲ୍ଲାରେ ଉତ୍ତେଜନା ବଢିବାରୁ ଏପରି ଘୋଷଣା କରାଯାଇଛି । ବର୍ତ୍ତମାନ ବିଷ୍ଣୁପୁରରେ କର୍ଫ୍ୟୁ ଜାରି ହୋଇଛି । ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଶନିବାର ରାତିରେ ଇଣ୍ଟରନେଟ୍ ଓ ମୋବାଇଲ ଡାଟା ସେବା ବାତିଲ କରାଯାଇଛି । ତେଣୁ ସୁରକ୍ଷା ଦୃଷ୍ଟିରୁ କର୍ଫ୍ୟୁ ଜାରି ହେବା ସହ ଇଣ୍ଟରନେଟ ଓ ମୋବାଇଲ ଡାଟା ସେବାକୁ ୫ ଦିନିଆ ସସପେଣ୍ଡ କରାଯାଇଛି । ଏହା ବ୍ୟତୀତ ଲାଗୁ ହୋଇଥିବା ନିର୍ଦ୍ଦେଶକୁ ଉଲ୍ଲଂଘନ କରିଲେ ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ପ୍ରଶାସନ ସ୍ପଷ୍ଟ କରିଛି । ଅନ୍ୟପଟେ ପୋଲିସ ମଧ୍ୟ ଗିରଫ ବ୍ୟକ୍ତିଙ୍କ ସମ୍ପର୍କରେ କୌଣସି କଥା ସ୍ପଷ୍ଟ କରିନାହିଁ ।
Also Read : ପ୍ରଚାର ବେଳେ କୋଲମ୍ବିଆରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼, ସଙ୍କଟାପନ୍ନ ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲ୍ରେ…