ବଜେଟ ୨୦୨୪ : କୋଟିଏ ଯୁବପିଢି କରିବେ ଇଣ୍ଟର୍ନସିପ, ପ୍ରଥମ ଥର EPFO ପଞ୍ଜୀକରଣ କରୁଥିବା କର୍ମଚାରୀଙ୍କୁ ସରକାର ଦେବେ ୧୫ ହଜାର ଟଙ୍କା

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନା କରିଛନ୍ତି । ବଜେଟରେ ଯୁବପିଢିଙ୍କ ପ୍ରତି ଧ୍ୟାନ ଦେଇଛନ୍ତି ଅର୍ଥମନ୍ତ୍ରୀ । ଅର୍ଥମନ୍ତ୍ରୀ ଯୁବପିଢିଙ୍କ ଇଣ୍ଟର୍ନସିପ ପାଇଁ ଶସ୍ତା ଲୋନ ଘୋଷଣା କରିଛନ୍ତି । ସରକାର ଏକ କୋଟି ଯୁବପିଢିଙ୍କୁ ଇଣ୍ଟର୍ନସିପ ପାଇଁ ସୁଯୋଗ ଦେବେ । ଇଣ୍ଟର୍ନସିପ କରୁଥିବା ସମୟରେ ଯୁବପିଢିଙ୍କୁ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ ଯୋଜନା କେବଳ ୧୨ ମାସ ପାଇଁ ହେବ ।
ଅର୍ଥମନ୍ତ୍ରୀ କହିଛନ୍ତି, ବଜେଟରେ ଶିକ୍ଷା, ରୋଜଗାର ଏବଂ ଦକ୍ଷତା ବୃଦ୍ଧି ପାଇଁ ୧.୪୮ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ ହୋଇଛି । ଛାତ୍ରଛାତ୍ରୀଙ୍କୁ ଶସ୍ତା ଲୋନ ମିଳିବ । ଏହାଛଡା ଛାତ୍ରଛାତ୍ରୀଙ୍କୁ ମଡେଲ ସ୍କିଲରେ ଲୋନ ମିଳିବ । ସରକାର ପ୍ରତିବର୍ଷ ୧ ଲକ୍ଷ ଛାତ୍ରଙ୍କୁ ଇ-ଭାଉଚର ଦେବେ । ମଡେଲ ସ୍କିଲ ଲୋନ ଯୋଜନାକୁ ସଂଶୋଧିତ କରି ୭.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ସୁବିଧା ଦିଆଯିବ । ଲୋନରେ ୩ ପ୍ରତିଶତ ସବିସିଡି ମିଳିବ ।
ସରକାର ଘରୋଇ ସଂସ୍ଥାମାନଙ୍କରେ ଉଚ୍ଚ ଶିକ୍ଷା ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବେ ।
ଇଣ୍ଟର୍ନସିପ ପାଇଁ ୫୦୦ରୁ ଅଧିକ କମ୍ପାନୀ କୋଟିଏ ଯୁବପିଢିଙ୍କୁ ସୁଯୋଗ ଦେବ । ଇଣ୍ଟର୍ନସିପ୍ ସୁବିଧା କରୁଥିବା କମ୍ପାନୀଗୁଡିକ ଇଣ୍ଟର୍ନମାନଙ୍କ ତାଲିମ ଖର୍ଚ୍ଚ ବହନ କରିବେ । ଏଥିପାଇଁ କମ୍ପାନୀଗୁଡ଼ିକ ସେମାନଙ୍କର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (CSR) ପାଣ୍ଠି ବ୍ୟବହାର କରିବେ ।
ସେହିପରି ଦେଶରେ ନିଯୁକ୍ତି ଓ ଦକ୍ଷତା ବୃଦ୍ଧି ପାଇଁ ବଜେଟରେ ୫ଟି ସ୍କିମ ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ମୋଟ ୨ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ରୋଜଗାର ବଢାଇବା ଏବଂ ଭିନ୍ନ ଭିନ୍ନ ମାଧ୍ୟମରେ ରୋଜଗାର ସୃଷ୍ଟି କରିବା କ୍ଷେତ୍ରରେ ସୁଯୋଗ ମିଳିବ ।
ପ୍ରଥମ ଥର ଚାକିରି କରୁଥିବା କିମ୍ବା ପ୍ରଥମ ଥର ଇପିଏଫଓରେ ପଞ୍ଜୀକରଣ କରୁଥିବା କର୍ମଚାରୀଙ୍କୁ ସରକାର ଦେବେ ୧୫ ହଜାର ଟଙ୍କା । ଏହା ସେମାନଙ୍କ ଇପିଏଫଓ ଆକାଉଣ୍ଟରେ ଜମା ହେବ । ସଂଗଠିତ କ୍ଷେତ୍ରରେ ପ୍ରଥମଥର ଚାକିରି ଆରମ୍ଭ କରିବାକୁ ଯାଉଥିବା ଯୁବକଙ୍କୁ ୧ ମାସର ଦରମା ଆଗୁଆ ଦିଆଯିବ ।