ମଧ୍ୟପ୍ରାଚ୍ୟରେ ଘନେଇଲା ଯୁଦ୍ଧର ଆଶଙ୍କା, ଇସ୍ରାଏଲ ଉପରେ ୫୦ ରକେଟ ମାଡ଼ କଲା ହିଜବୁଲ୍ଲା

ମଧ୍ୟପ୍ରାଚ୍ୟରେ ଘନେଇଲା ଯୁଦ୍ଧର ଆଶଙ୍କା । ଇସ୍ରାଏଲ ଉପରେ ରକେଟ୍ ଆକ୍ରମଣ ଆରମ୍ଭ କଲା ହିଜବୁଲ୍ଲା । ଇସ୍ରାଏଲ ଉପରେ ବହୁ ସଂଖ୍ୟାରେ ରକେଟ୍ ମାଡ଼ କରିଛି । ଦକ୍ଷିଣ ଲେବନାନରୁ ଇସ୍ରାଏଲ ଉପରେ ହୋଇଥିଲା ୫୦ରୁ ଉର୍ଦ୍ଧ୍ୱ ରକେଟ୍ ମାଡ଼ । ଇସ୍ରାଏଲ ଆକ୍ରମଣରେ ଗାଜାର ଶାସକ ତଥା ହମାସ୍ ମୁଖ୍ୟ ଇସମାଇଲ ହାନିଆ ନିହତ ହେବା ପରେ ମଧ୍ୟପ୍ରାଚ୍ୟରେ ବଢ଼ିବାରେ ଲାଗିଛି ଉତ୍ତେଜନା ।
ହିଜବୁଲ୍ଲା ହେଉଛି ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ । ହମାସ ସମର୍ଥନରେ ଯୁଦ୍ଧ କରୁଛି । ଇସ୍ରାଏଲ ଉପରେ ଇରାନର ଆକ୍ରମଣ ଧମକ ପରେ ହିଜବୁଲ୍ଲାର ଏହି ହମଲା ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଉତ୍ତେଜନାକୁ ବଢ଼ାଇଛି । ତେହେରାନରେ ହମାସ ନେତା ଇସମାଇଲ ହାନିଆର ହତ୍ୟା ପରେ ଇସ୍ରାଏଲ ଉପରେ ସିଧାସଳଖ ଆକ୍ରମଣ ପାଇଁ ଇରାନ ସେନାକୁ ଇରାନର ସର୍ବୋଚ୍ଚ ନେତା ନିର୍ଦ୍ଦେଶ ଦେଇଥିଲେ ।
Interceptions of rockets in northern Israel. pic.twitter.com/mCNYxkFLPD
— Israel War Room (@IsraelWarRoom) August 3, 2024
ଇସ୍ରାଏଲ ଉପରେ ବଡ଼ ଧରଣର ହମଲା ପାଇଁ ଇରାନ ପ୍ରସ୍ତୁତ ହେଉଥିବା ବେଳେ ଆକ୍ରମଣ ଆରମ୍ଭ କରି ଦେଇଛି ହିଜବୁଲ୍ଲା । ତେବେ ହିଜବୁଲ୍ଲାର ରକେଟ ଗୁଡ଼ିକୁ ଆକାଶରେ ପ୍ରତିହତ କରି ଦେଇଛି ଇସ୍ରାଏଲ ଏୟାର ଡିଫେନ୍ସ ସିଷ୍ଟମ ଆଇରନ ଡୋମ୍ । ମୃତାହତ ନେଇ କୌଣସି ସୂଚନା ନାହିଁ ।
ଇରାନ ବଡ଼ ହମଲା କଲେ ଆମେରିକା ସିଧାସଳଖ ଯୁଦ୍ଧରେ ସାମିଲ ହେବ । ମଧ୍ୟପ୍ରାଚ୍ୟରେ ସାମରିକ ଶକ୍ତି ଠୁଳ କରୁଛି ଆମେରିକା । ଅଧିକ ଯୁଦ୍ଧପୋତ, ଫାଇଟର ଜେଟ୍ ଓ ସୈନ୍ୟ ପଠାଉଛି ପେଣ୍ଟାଗନ । ଏଣେ ଯୁଦ୍ଧ ଉତ୍ତେଜନା ବଢ଼ୁଥିବା ବେଳେ ଲେବାନନ ଛାଡ଼ି ତୁରନ୍ତ ପଳାଇ ଯିବାକୁ ଆମେରିକା ଦୂତାବାସ ନିଜ ଦେଶର ନାଗରିକଙ୍କୁ କହିଛି । ଯେ କୌଣସି ଟିକେଟ୍ ମିଳୁଛି, ତାକୁ ନେଇ ଲେବାନନ ଛାଡ଼ିବାକୁ କହିଛି ଆମେରିକା ଦୂତାବାସ । ଆଉ କିଛି ଦେଶ ମଧ୍ୟ ଲେବାନନ ଛାଡ଼ିବାକୁ ନିଜ ନିଜର ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ବୁଧବାର ଇରାନ ରାଜଧାନୀ ତେହରାନରେ ହମାସ୍ ନେତା ଇସମାଇଲ ହାନିଆଙ୍କୁ ହତ୍ୟା କରାଯାଇଥିଲା । ଏହାର ଦିନକ ପୂର୍ବରୁ ତେହରାନ ସମର୍ଥତ୍ତ ହିଜବୁଲ୍ଲା ସଂଗଠନର କମାଣ୍ଡର ଫୁଆଦ ଶୁକ୍ରଙ୍କୁ ଇସ୍ରାଏଲ୍ ହତ୍ୟା କରିଥିଲା । ଏହି ଆକ୍ରମଣରେ ଅନ୍ୟ ୫ ଜଣ ସାଧାରଣ ନାଗରିକ ନିହତ ହୋଇଥିଲେ । ତେଣୁ ଲେବାନନର ହିଜବୁଲ୍ଲା ଆତଙ୍କବାଦୀମାନେ ଇସ୍ରାଏଲରେ ପ୍ରବେଶ କରି ଆକ୍ରମଣ କରିବାକୁ ଇରାନ ଚାହୁଁଛି ।