କେରଳ ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ପ୍ରସଙ୍ଗ, ୟେମେନ ସରକାରଙ୍କ ସହ କଥା ହେବ ଇରାନ୍

ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କୁ ନେଇ ଆଶ୍ୱସ୍ତିଜନକ ଖବର । ୟେମେନରେ ମୃତ୍ୟୁଦଣ୍ଡ ଦିଆଯାଇଥିବା ଏହି ଭାରତୀୟ ନର୍ସଙ୍କୁ ଇରାନ ସରକାରଙ୍କଠାରୁ ଆଶ୍ୱସ୍ତି ମିଳିଛି । ୟେମେନ ସରକାରଙ୍କ ସମ୍ମୁଖରେ ଏହି ପ୍ରସଙ୍ଗ ରଖିବ ଇରାନ । ସୂତ୍ର ମୁତାବକ, ଇରାନ ସରକାର ସମସ୍ତ ସମ୍ଭାବ୍ୟ ସାହାଯ୍ୟର ପ୍ରତିଶୃତି ଦେଇଛନ୍ତି ।

ୟେମେନ୍ ରାଷ୍ଟ୍ରପତି ମହମ୍ମଦ ଅଲ-ଅଲିମି ଦୁଇ ଦିନ ପୂର୍ବେ ୟେମେନ୍ ଜେଲରେ ଥିବା କେରଳ ନର୍ସ ନିମିଷା ପ୍ରିୟାଙ୍କ ଫାଶୀଦଣ୍ଡକୁ ଅନୁମୋଦନ କରିଥିଲେ ।

ୟେମେନ କୋର୍ଟ ଭାରତୀୟ ମହିଳା ନର୍ସଙ୍କୁ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ । ଏହା ରାଷ୍ଟ୍ରପତିଙ୍କ ଦ୍ୱାରା ଅନୁମୋଦିତ ହୋଇଥିଲା । ୨୦୧୭ଠାରୁ ନିମିଷା ୟେମେନ୍ ଜେଲରେ ଅଛନ୍ତି ।

ୟେମେନ ନାଗରିକ ତଲାଲ ଏବଦୋ ମହଦିଙ୍କ ହତ୍ୟା ମାମଲାରେ ନିମିଷା ଦୋଷୀ ସାବ୍ୟସ୍ତ ହୋଇଥିଲେ । ଅଭିଯୋଗ ରହିଛି ଯେ ସେ ମହଦିଙ୍କ ନିକଟରେ ଜମା ହୋଇଥିବା ନିଜର ପାସପୋର୍ଟ ପାଇବା ପାଇଁ ତାଙ୍କୁ ବେହୋଶ୍ ଇଞ୍ଜେକ୍ସନ ଦେଇଥିଲେ । କିନ୍ତୁ ଏହି ଇଞ୍ଜେକ୍ସନ ଯୋଗୁ ମହଦିଙ୍କର ମୃତ୍ୟୁ ଘଟିଥିଲା ।

କେରଳ ପଲକ୍କଡର ବାସିନ୍ଦା ନିମିଷା ନିଜ ସ୍ୱାମୀ ଓ ଝିଅ ସହ ପାଖାପାଖି ୧୦ ବର୍ଷ ଧରି ୟେମେନରେ ରହି କାମ କରୁଥିଲେ । ୨୦୧୬ରେ ୟେମେନରେ ଗୃହଯୁଦ୍ଧ ଯୋଗୁ ଦେଶ ବାହାରକୁ ଯିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ତେବେ ଏହାପୂର୍ବରୁ ୨୦୧୪ରେ ତାଙ୍କ ସ୍ୱାମୀ ଓ ଝିଅ ଭାରତ ଫେରି ଆସିଥିଲେ ମଧ୍ୟ ନିମିଷା ଫେରି ନ ଥିଲେ ।

ପରେ ୨୦୧୭ ଜୁଲାଇରେ ନର୍ସଙ୍କ ଉପରେ ୟେମେନ ନାଗରିକଙ୍କ ହତ୍ୟା ନେଇ ଅଭିଯୋଗ ହୋଇଥିଲା । ଏହି ମାମଲାରେ ତାଙ୍କ ମା’ ୟେମେନ ଯିବାକୁ ଅନୁରୋଧ କରି ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ । ଆବେଦନରେ ଦାବି କରାଯାଇଥିଲା ଯେ ମହଦି ନର୍ସଙ୍କୁ ଶାରୀରିକ ଏବଂ ଆର୍ଥିକ ନିର୍ଯାତନା ଦେଇଥିଲେ । ତାଙ୍କ ପାସପୋର୍ଟ କବଜାକୁ ନିଆଯାଇଥିଲା ।