ମଧ୍ୟପ୍ରାଚ୍ୟରେ ଘନେଇଲା ଯୁଦ୍ଧର କଳାବାଦଲ, ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ଇରାନର ନିର୍ଦ୍ଦେଶ

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଘନେଇଲା ଯୁଦ୍ଧର କଳାବାଦଲ । ଇସ୍ରାଏଲ ଉପରେ ସିଧାସଳଖ ଆକ୍ରମଣ ପାଇଁ ଇରାନର ନିର୍ଦ୍ଦେଶ । ହମାସର ଶୀର୍ଷ ନେତା ଇସମାଇଲ ହନିୟେଙ୍କ ହତ୍ୟା ପରେ ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଲେ ଇରାନ ସର୍ବୋଚ୍ଚ ନେତା ଅୟତୋଲ୍ଲା ଅଲ୍ଲୀ ଖମେନେଇ । ଇରାନର ସୁପ୍ରିମ ନ୍ୟାସନାସ ସିକ୍ୟୁରିଟି କାଉନସିଲ ବୈଠକ ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ଖମେନେଇ ।
ଇରାନ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ତେହେରାନରେ ହନିୟେ ଥିବା ବେଳେ ଏୟାରଷ୍ଟ୍ରାଇକରେ ତାଙ୍କର ମୃତ୍ୟୁ ଘଟିଛି । ହନିୟେଙ୍କ ହତ୍ୟା ନେଇ ଇରାନ ଓ ହମାସ ଇସ୍ରାଏଲକୁ ଦାୟୀ କରିଛନ୍ତି । ତେବେ ହନିୟେଙ୍କ ମୃତ୍ୟୁ ସଂପର୍କରେ ଇସ୍ରାଏଲ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରିନାହିଁ ।
ତେବେ ଏହାକୁ ନେଇ ଇସ୍ରାଏଲ ହାଇ ଆଲର୍ଟରେ ରହିଛି । ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି । ଯୁଦ୍ଧକୁ ଏଡ଼ାଇବା ପାଇଁ ଆମେରିକା ପଦକ୍ଷେପ ନେଉଛି । ଆମେରିକା ବୈଦେଶିକ ବିଭାଗ କହିଛି, ସହଯୋଗୀ ଦେଶ ଉପରେ ଇରାନ ଆକ୍ରମଣ କଲେ ତାର ଜବାବ ଦେବାକୁ ଆମେରିକା ପଛଘୁଞ୍ଚା ଦେବ ନାହିଁ ।