କାନପୁରରେ କାଳିନ୍ଦୀ ଏକ୍ସପ୍ରେସ୍କୁ ବିସ୍ଫୋରଣରେ ଉଡ଼ାଇଦେବା ଷଡ଼ଯନ୍ତ୍ର ମାମଲାରେ ଆତଙ୍କବାଦୀ ଲିଙ୍କ୍ ମିଳିଛି । କୁଖ୍ୟାତ ଆତଙ୍କୀ ସଙ୍ଗଠନ ଆଇଏସ୍ଆଇଏସ୍ର ଖୁରାସନ ମଡ୍ୟୁଲ ଏହି ଷଡ଼ଯନ୍ତ୍ର ରଚିଥିବା ସନ୍ଦେହ କରାଯାଇଛି । ଗତ ରବିବାର ରାତିରେ ପ୍ରୟାଗରାଜରୁ ଭିଓ୍ୱାନୀ ଯାଉଥିବା କାଳିନ୍ଦୀ ଏକ୍ସପ୍ରେସ୍ (14117)କୁ କାନପୁରରେ ଏଲ୍ପିଜି ସିଲିଣ୍ଡରରେ ଉଡ଼ାଇଦେବା ପାଇଁ ଷଡ଼ଯନ୍ତ୍ର ରଚାଯାଇଥିଲା ।
ପ୍ରାଥମିକ ଯାଞ୍ଚରୁ ଏଥିରେ ଆତଙ୍କବାଦୀ ଲିଙ୍କ ଥିବା ପ୍ରମାଣ ମିଳିଛି । ମାମଲାର ତଦନ୍ତ କରୁଥିବା ୟୁପି ଏଟିଏସ୍, ଆଇବି ଏବଂ ଏନ୍ଆଇଏ ଟିମ୍ ସନ୍ଦେହ କରିଛନ୍ତି ଯେ ଆତଙ୍କବାଦୀ ସଙ୍ଗଠନ ଆଇଏସ୍ଆଇଏସ୍ ଏହି କାଣ୍ଡ ଘଟାଇଛି । ଘଟଣାସ୍ଥଳରୁ ମିଳିଥିବା ତଥ୍ୟ ପ୍ରମାଣ ଆଧାରରେ ଆଇଏସ୍ଆଇଏସ୍ର ଖୁରାସନ ମଡ୍ୟୁଲ ଏଥିରେ ଜଡ଼ିତ ଥିବା ଜଣାପଡ଼ିଛି । ବର୍ତ୍ତମାନ ଏହି ମାମଲାରେ ଧରାପଡ଼ିଥିବା ଦୁଇ ଅଭିଯୁକ୍ତଙ୍କୁ କ୍ରମାଗତ ପଚରାଉଚରା କରାଯାଉଛି ।
ଜଣେ ‘ସେଲ୍ଫ ରେଡିକ୍ଲାଇଜ୍’ ଏହି ଘଟଣାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି । ଖୁରାସନ ମଡ୍ୟୁଲ ସହ ଜଡ଼ିତ ଆତଙ୍କବାଦୀମାନଙ୍କୁ ସୋସିଆଲ୍ ମିଡିଆ ମାଧ୍ୟମରେ ବ୍ରେନଓ୍ୱାଶ କରାଇ ସେମାନଙ୍କୁ ବୋମା ତିଆରିର ତାଲିମ ଦିଆଯାଏ ।
କାନପୁର ରେଳଧାରଣାରୁ ଯେଉଁ ପ୍ରକାରର ସାମଗ୍ରୀ ମିଳିଛି, ସେଥିରୁ ଅଭିଯୁକ୍ତ ଜଣେ ‘ସେଲ୍ଫ ରେଡିକ୍ଲାଇଜ୍’ ହୋଇପାରନ୍ତି ବୋଲି ସନ୍ଦେହ କରାଯାଇଛି । ଆଇଏସ୍ କମାଣ୍ଡର ଫରତୁଲ୍ଲାହଘୋରୀ ପାକିସ୍ତାନରେ ବସି ଆତଙ୍କବାଦ ଉପରେ ଅନଲାଇନ୍ କ୍ଲାସ୍ ଦେଇଥାନ୍ତି । ନିକଟରେ ସେ ନିଜର ଅଡିଓ କ୍ଲିପ୍ ମାଧ୍ୟମରେ ଭାରତରେ ଟ୍ରେନ ବିସ୍ଫୋରଣ ପାଇଁ ଆଦେଶ ଦେଇଥିଲେ ।
ସେପଟେ ତଦନ୍ତକାରୀ ସଂସ୍ଥା ଏହି ମାମଲାରେ ଏ ପର୍ଯ୍ୟନ୍ତ ୨୧୯ କ୍ୟାମେରା ଫୁଟେଜ ସଂଗ୍ରହ କରିଛି । ୧୦୦ରୁ ଅଧିକ ଲୋକଙ୍କୁ ପଚରାଉଚରା କରାଯାଇଛି । କାନପୁର ପୋଲିସ ତିନୋଟି ଗ୍ୟାସ ଏଜେନ୍ସିକୁ ମଧ୍ୟ ପଚରାଉଚରା କରିଛି । ଅଧିକାରୀଙ୍କ ମୁତାବକ, ଅଭିଯୁକ୍ତ ବୁଦା ଭିତରେ ଲୁଚି ଏହି ଷଡ଼ଯନ୍ତ୍ର ରଚିଥିଲେ ।
କହି ରଖୁଛୁ, ଗତ ରବିବାର ରାତିରେ କାଳିନ୍ଦୀ ଏକ୍ସପ୍ରେସ୍ ଟ୍ରାକ୍ ଉପରେ ରଖାଯାଇଥିବା ଏକ ସିଲିଣ୍ଡରକୁ ଧକ୍କା ଦେଇଥିଲା । ଏହି ସମୟରେ ପ୍ରଚଣ୍ଡ ଶବ୍ଦ ଶୁଣାଯାଇଥିଲା । ସୌଭାଗ୍ୟବଶତଃ, ଟ୍ରେନ୍ରେ ଥିବା ଯାତ୍ରୀମାନଙ୍କର କୌଣସି କ୍ଷତି ହୋଇ ନ ଥିଲା ।