ଦିଲ୍ଲୀ ପୋଲିସ୍ର ସ୍ପେଶାଲ୍ ସେଲ୍କୁ ମିଳିଛି ବଡ଼ ସଫଳତା । ଅଗଷ୍ଟ ୧୫ ପୂର୍ବରୁ ରିଜୱାନ୍ ଅଲି ନାମକ ଆତଙ୍କବାଦୀଙ୍କୁ ଗିରଫ କରିଛି ସ୍ପେଶାଲ ସେଲ୍ । ଆଇଏସ୍ଆଇଏସ୍ ମଡ୍ୟୁଲ୍ର ଆତଙ୍କବାଦୀ ରିଜୱାନ୍ ଦିଲ୍ଲୀର ଦରିଆଗଞ୍ଜରେ ରହୁଥିଲେ । ଅଗଷ୍ଟ ୧୫ ପୂର୍ବରୁ ସେ କୌଣସି ଏକ ବଡ଼ ଆତଙ୍କୀ ଘଟଣା ଘଟାଇବାକୁ ଯୋଜନା କରୁଥିଲେ ।
ରିଜୱାନ୍ ଆଇଏସ୍ଆଇଏସ୍ ପୁଣେ ମଡ୍ୟୁଲ୍ ସହିତ ଜଡିତ ଥିଲେ । ସେ ଏବଂ ତାଙ୍କର କିଛି ସହଯୋଗୀଙ୍କ ଉପରେ ଏନ୍ଆଇଏ ୩ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା । ପୂର୍ବରୁ କିଛି ଆତଙ୍କବାଦୀ ଗିରଫ ହୋଇଥିଲେ । ରିଜୱାନ୍ ଅନେକ ବର୍ଷ ଧରି ଫେରାର୍ ଥିଲେ । ତାଙ୍କୁ ପୁରୁଣା ଦିଲ୍ଲୀର ଦରିଆଗଞ୍ଜ ନିକଟରୁ ଗିରଫ କରାଯାଇଛି । ତାଙ୍କ ନିକଟରୁ ପିସ୍ତଲ ସମେତ କିଛି ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି ।
ତେବେ ଆତଙ୍କୀ କାଣ୍ଡ ଘଟାଇବା ପୂର୍ବରୁ ରିଜୱାନ୍ ଦିଲ୍ଲୀର କିଛି ଭିଆଇପି ଅଞ୍ଚଳ ଯାଇ ବୁଲି ଦେଖିଥିଲେ । ସ୍ୱାଧୀନତା ଦିବସ ପୂର୍ବରୁ ସେ ଏହି କାଣ୍ଡ ଘଟାଇଥାନ୍ତେ । କିନ୍ତୁ ଏହା ପୂର୍ବରୁ ସେ ପୋଲିସ ହାତରେ ଧରା ପଡ଼ିଛନ୍ତି ।
ଗତବର୍ଷ ଅକ୍ଟୋବରରେ ସ୍ପେଶାଲ୍ ସେଲ୍ ପୁଣେ ମଡ୍ୟୁଲ୍ର ଆତଙ୍କବାଦୀ ଶାହନୱାଜଙ୍କ ସହ ମହମ୍ମଦ ଅର୍ସଦ ୱାର୍ସି ଏବଂ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଥିଲା । ଏହି ମଡ୍ୟୁଲର ଅନ୍ୟ ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ରିଜୱାନ୍ ଫେରାର ଥିଲେ । ତାଙ୍କ ଉପରେ ୩ ଲକ୍ଷ ଟଙ୍କା ପୁରସ୍କାର ରାଶି ରଖାଯାଇଥିଲା । ଏବେ ସ୍ପେଶାଲ ସେଲ୍ ତାଙ୍କୁ ଗିରଫ କରିଛି ।