ବାଂଲାଦେଶ: ଇସ୍କନ ମନ୍ଦିର ଜାଳିଦେଲେ ଦଙ୍ଗାକାରୀ, ଘରୁ ଘୋଷାଡ଼ି ନେଇ ହିନ୍ଦୁଙ୍କୁ ପିଟିଲେ

ବାଂଲାଦେଶରେ ବିକ୍ଷୋଭକାରୀ ଏବେ ହିନ୍ଦୁଙ୍କୁ ଟାର୍ଗେଟ୍‌ କରିବା ଆରମ୍ଭ କରିଛନ୍ତି । ହିନ୍ଦୁମାନଙ୍କୁ ଟାର୍ଗେଟ୍‌ କରି ସେମାନଙ୍କ ଘରେ ନିଆଁ ଲଗାଇ ଦେବା ସହ ଦୋକାନରୁ ଲୁଟ୍‌ପାଟ କରୁଛନ୍ତି । ବାଂଲାଦେଶର ମେହରପୁର ଇସ୍କନ ମନ୍ଦିରରୁ କିଛି ଫଟୋ ସାମ୍ନାକୁ ଆସିଛି, ଯେଉଁଠି ଦଙ୍ଗାକାରୀମାନେ ବ୍ୟାପକ ଭଙ୍ଗାରୁଜା କରି ମନ୍ଦିରରେ ନିଆଁ ଲଗାଇ ଦେଇଛନ୍ତି ।

ବାଂଲାଦେଶୀ ଗଣମାଧ୍ୟମ ‘ଦ ଡେଲି ଷ୍ଟାର୍‌’ର ରିପୋର୍ଟ ମୁତାବକ, ୨୭ଟି ଜିଲ୍ଲାରେ ହିନ୍ଦୁମାନଙ୍କ ଘର ଏବଂ ଦୋକାନକୁ ଟାର୍ଗେଟ୍‌ କରାଯାଇଛି । ଦାମୀ ଜିନିଷ ଲୁଟି ନିଆଯାଉଛି । ମନ୍ଦିର ଉପରେ ମଧ୍ୟ ଆକ୍ରମଣ କରାଯାଇଛି । ଲାଲ୍‌ମୋନିରହାଟ ସଦର ଉପଜିଲ୍ଲାରେ ହିନ୍ଦୁ ଧାର୍ମିକ କମିଟିର ସଚିବ ପ୍ରଦୀପ ଚନ୍ଦ୍ର ରାୟଙ୍କ ଘରେ ବ୍ୟାପକ ଭଙ୍ଗାରୁଜା କରାଯାଇଛି ।

ଦଙ୍ଗାକାରୀମାନେ ମ୍ୟୁନିସିପାଲିଟି ସଦସ୍ୟ ମୁହିନ୍ ରୟଙ୍କ କମ୍ପ୍ୟୁଟର ଦୋକାନକୁ ମଧ୍ୟ ଭାଙ୍ଗି ଦେଇଛନ୍ତି । କାଲିଗଞ୍ଜ ଉପଜିଲ୍ଲାର ଚନ୍ଦ୍ରପୁର ଗ୍ରାମରେ ୪ ହିନ୍ଦୁ ପରିବାରର ଘରେ ଭଙ୍ଗାରୁଜା କରି ଲୁଟ୍‌ପାଟ କରିଛନ୍ତି । ସେହିପରି ହାତିବନ୍ଧା ଉପଜିଲ୍ଲା ପୁରବୋ ସରଦୁବି ଗ୍ରାମରେ ୧୨ ଜଣ ହିନ୍ଦୁଙ୍କ ଘରେ ନିଆଁ ଲଗାଇ ଦିଆଯାଇଛି ।

ଗଣମାଧ୍ୟମ ମୁତାବକ, ହିନ୍ଦୁମାନଙ୍କୁ ଘରୁ ଘୋଷାଡ଼ି ନେଇ ନିର୍ଧୁମ୍‌ ପିଟାଯାଉଛି । ସେମାନଙ୍କ ଦୋକାନରୁ ଜିନିଷପତ୍ର ଲୁଟି ନିଆଯାଉଛି । ଏହି ଆକ୍ରମଣ ହେତୁ ହିନ୍ଦୁମାନେ ଭୟର ବାତାବରଣ ମଧ୍ୟରେ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.