ଗାଜାର ଦୋରାଜ ଜିଲ୍ଲାରେ ସ୍କୁଲ ଉପରେ ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ ସେନା । ଏଥିରେ ୧୦୦ ପାଲେଷ୍ଟାଇନ ନିହତ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି । ନମାଜ ପାଠ ବେଳେ ମିସାଇଲ ମାଡରେ ଅଲତାବିନ ସ୍କୁଲ ଧ୍ବଂସ ହୋଇଛି । ଘଟଣାକୁ ବିଶ୍ବବ୍ୟାପୀ ନିନ୍ଦା କରାଯାଇଛି ।
ଯେଉଁ ସ୍କୁଲରେ ଆକ୍ରମଣ ହୋଇଛି, ସେଠାରେ ବିସ୍ଥାପିତ ନାଗରିକ ରହୁଥିଲେ । ବିସ୍ଥାପିତ ନାଗରିକଙ୍କ ଆଶ୍ରୟ ସ୍ଥଳ ଭାବେ ବ୍ୟବହାର କରାଯାଉଥିଲା । ଆକ୍ରମଣ ହେବା ଯୋଗୁଁ ସ୍କୁଲ ପରିସରରେ ଭୀଷଣ ନିଆଁ ଲାଗିଯାଇଥିଲା । ନିଆଁରେ ଫଶିଥିବା ଫିଲିସ୍ତାନୀଙ୍କ ସହାୟତା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆକ୍ରମଣର ଭୟାବହତାକୁ ଦେଖି କିଛି ମୃତଦେହକୁ ନିଆଁରେ ଜଳାଇଦେଇଥିବା ଜଣାପଡିଛି ।
ଗାଜାର ନାଗରିକ ସୁରକ୍ଷା ଏଜେନ୍ସୀ ଦାବି କରିଛନ୍ତି କି, ଶନିବାର ସକାଳ ଗାଜାର ଏକ ସ୍କୁଲ ଉପରେ ଇସ୍ରାଏଲ ଆକ୍ରମଣ କରିଥିବାରୁ ୧୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ଘଟଣାରେ ୧୨ରୁ ଅଧିକ ଆହତ ହୋଇଥିବା ମଧ୍ୟ ଜଣାପଡିଛି । ୩ଟି ରକେଟ ଇସ୍ରାଏଲ ସ୍କୁଲ ଉପରେ ପକାଇଛି ।
ଗୁରୁବାର ଦିନ ଗାଜାରେ ଦୁଇଟି ସ୍କୁଲର ଇସ୍ରାଏଲ ସେନା ଦ୍ୱାରା ଆକ୍ରମଣ କରାଯାଇଥିଲା । ଏଥିରେ ଅତିକମରେ ୧୮ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା । ଇସ୍ରାଏଲ ସେନା କହିଥିଲା, ଆମେ ହମାସର କମାଣ୍ଡ ସେଣ୍ଟର ଉପରେ ଆକ୍ରମଣ କରିଥିଲୁ ।
ସୂଚନାଯୋଗ୍ୟ, ୧୦ ମାସ ଧରି ଇସ୍ରାଏଲ-ହମାସ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଛି । ଏଥିରେ ୪୦ ହଜାର ପାଲେଷ୍ଟାଇନ ନାଗରିକ ନିହତ ହୋଇଛନ୍ତି । ଯୁଦ୍ଧ ବିରତି ପାଇଁ ବିଶ୍ବବ୍ୟାପୀ ଉଦ୍ୟମ ଚାଲିଥିଲେ ବି ଏହା ସଫଳ ହେଉନାହିଁ ।