ହମାସ୍ ନେତା ହାନିଆଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କଲା ଇସ୍ରାଏଲ୍, ପ୍ରତିରକ୍ଷା ମନ୍ତ୍ରୀ ହୁତି ବିଦ୍ରୋହୀଙ୍କୁ ମଧ୍ୟ ଦେଲେ ଚେତାବନୀ
ହମାସ୍ ନେତା ଇସମାଇଲ୍ ହାନିଆଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କଲା ଇସ୍ରାଏଲ୍ । ହାନିଆଙ୍କୁ ଇସ୍ରାଏଲ ହତ୍ୟା କରିଥିବା ପ୍ରତିରକ୍ଷା ମନ୍ତ୍ରୀ କାଟଜ ପ୍ରଥମ ଥର ପାଇଁ ସର୍ବସାଧାରଣରେ ସ୍ୱୀକାର କରିଛନ୍ତି । ସେ ନିଶ୍ଚିତ କରିଛନ୍ତି ଯେ ହମାସର ଟପ୍ ନେତା ହାନିଆଙ୍କୁ ଇସ୍ରାଏଲ ହିଁ ଇରାନରେ ହତ୍ୟା କରିଥିଲା ।
ୟେମେନରେ ହୁତି ବିଦ୍ରୋହୀମାନଙ୍କୁ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀ କଡ଼ା ଚେତାବନୀ ଦେଇଛନ୍ତି । ହୁତି ନେତୃତ୍ୱଙ୍କ ବିରୋଧରେ ଏହି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କାଟଜ କହିଛନ୍ତି ।
କହି ରଖୁଛୁ, ଚଳିତ ବର୍ଷ ଜୁଲାଇରେ ଇରାନରେ ହୋଇଥିବା ଏକ ବିସ୍ଫୋରଣରେ ହାନିଆଙ୍କ ମୃତ୍ୟୁ ହୋଇଥିଲା । ଏହି ବିସ୍ଫୋରଣ ପଛରେ ଇସ୍ରାଏଲର ହାତ ଅଛି ବୋଲି ବିଶ୍ୱାସ କରାଯାଉଥିଲା । ତେବେ ବର୍ତ୍ତମାନ କାଟଜଙ୍କ ବିବୃତ୍ତିରୁ ସ୍ପଷ୍ଟ ହୋଇଛି ଯେ ହାନିଆ ଇସ୍ରାଏଲର ଟାର୍ଗେଟରେ ଥିଲେ ।
ସୋମବାର ଏକ ବିବୃତ୍ତିରେ ପ୍ରତିରକ୍ଷା ମନ୍ତ୍ରୀ କାଟଜ କହିଛନ୍ତି, ଇସ୍ରାଏଲ ହମାସ୍ ଏବଂ ହିଜବୁଲାର ଅନ୍ୟ ନେତାମାନଙ୍କୁ ଯେପରି ନିପାତ କରିଛି, ହୁତି ବିଦ୍ରୋହୀମାନଙ୍କର ମଧ୍ୟ ଏହିପରି ଅନ୍ତ ଘଟିବ ।
ସେ କହିଛନ୍ତି, ‘ଏବେ ହୁତି ଆତଙ୍କବାଦୀ ସଙ୍ଗଠନ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ନିକ୍ଷେପ କରୁଛି, ତେଣୁ ମୁଁ ଏକ ସ୍ପଷ୍ଟ ବାର୍ତ୍ତା ଦେବାକୁ ଚାହୁଁଛି ଯେ ଆମେ ହମାସକୁ ହରାଇଲୁ, ହିଜବୁଲାକୁ ପରାସ୍ତ କଲୁ, ଇରାନର ପ୍ରତିରକ୍ଷା ପ୍ରଣାଳୀକୁ ଧ୍ୱଂସ କଲୁ, ସିରିଆରେ ଅସଦ ଶାସନକୁ ଓଲଟାଇ ଦେଲୁ । ଆମେ ୟେମେନରେ ହୁତି ଆତଙ୍କବାଦୀ ସଙ୍ଗଠନକୁ ମଧ୍ୟ ଗୁରୁତର ଝଟକା ଦେବୁ’ ।
କାଟଜ ଏହା ମଧ୍ୟ କହିଛନ୍ତି ଯେ ଆମେ ହୁତିମାନଙ୍କ ରଣନୈତିକ ଭିତ୍ତିଭୂମି ଉପରେ ଆକ୍ରମଣ କରିବୁ ଏବଂ ନେତୃତ୍ୱଙ୍କ ଶିରଚ୍ଛେଦନ କରିବୁ । ଯେପରି ଆମେ ତେହେରାନ, ଗାଜା ଏବଂ ଲେବାନନରେ ହାନିଆ, ସିନୱାର ଓ ନସରୁଲ୍ଲାଙ୍କ ସହ କରିଥିଲୁ, ସେପରି ଆମେ ହୋଦୈଦାହ ଏବଂ ସାନାରେ ମଧ୍ୟ କରିବୁ ।
ସୂଚନା ଯେ ଇରାନ ଦ୍ୱାରା ସମର୍ଥିତ ହୁତି ଗୋଷ୍ଠୀ ୟେମେନରେ ସକ୍ରିୟ ରହିଛି । ଏହା ଗତ ଏକ ବର୍ଷ ଧରି ଲୋହିତ ସାଗରରେ ବ୍ୟବସାୟିକ ପରିବହନକୁ ଟାର୍ଗେଟ କରୁଛି । ଇସ୍ରାଏଲ ଉପରେ ସାମୁଦ୍ରିକ ଅବରୋଧ ଲାଗୁ କରିବାକୁ ଏହା ଚେଷ୍ଟା କରୁଛି ।