ହମାସ୍‌ ମିଲିଟାରୀ ମୁଖ୍ୟ ମହମ୍ମଦ ଡେୟଫ୍‌ ମୃତ, ଏୟାର୍‌ ଷ୍ଟ୍ରାଇକ୍‌ କରି ମାରିଲା ଇସ୍ରାଏଲ

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଗତ ବର୍ଷ ଅକ୍ଟୋବରରୁ ଭୀଷଣ ଯୁଦ୍ଧ ଚାଲିଛି । ତେବେ ଏହି ଯୁଦ୍ଧରେ ହମାସ୍ ବର୍ତ୍ତମାନ ଦୁର୍ବଳ ହେବାରେ ଲାଗିଛି । ଇସ୍ରାଏଲ ଆକ୍ରମଣରେ ଜଣଙ୍କ ପରେ ଜଣେ ହମାସ୍‌ର ଶୀର୍ଷ ନେତା ନିହତ ହେଉଛନ୍ତି । ଏବେ ଇସ୍ରାଏଲ ସେନା ଘୋଷଣା କରିଛି ଯେ ହମାସର ସାମରିକ ମୁଖ୍ୟ ମହମ୍ମଦ ଡେୟଫ୍‌ଙ୍କୁ ହତ୍ୟା କରାଯାଇଛି ।

ଗତ ଜୁଲାଇରେ ଇସ୍ରାଏଲ କରିଥିବା ଏକ ଏୟାର ଷ୍ଟ୍ରାଇକରେ ଡେୟଫ୍‌ଙ୍କୁ ନିପାତ କରିଥିବା ଦାବି କରିଛି । ଇସ୍ରାଏଲର ପ୍ରତିରକ୍ଷା ବାହିନୀ ସୋସିଆଲ ମିଡିଆରେ ମହମ୍ମଦ ଡେୟଫ୍‌ଙ୍କ ହତ୍ୟା ଖବର ନିଶ୍ଚିତ କରିଛି ।

ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ପଛର ମାଷ୍ଟରମାଇଣ୍ଡଙ୍କ ମଧ୍ୟରୁ ମହମ୍ମଦ ଡେୟଫ୍‌ ଥିଲେ ଅନ୍ୟତମ । ସେ ହମାସ୍‌ର ସାମରିକ ମୁଖ୍ୟ ଥିଲେ । କହି ରଖୁଛୁ ଯେ ଅକ୍ଟୋବର ୭ରେ ଇସ୍ରାଏଲରେ ପ୍ରବେଶ କରି ହମାସ୍‌ ପାଖାପାଖି ୧୨୦୦ ଲୋକଙ୍କୁ ହତ୍ୟା କରିଥିଲା ଏବଂ ଶହ ଶହ ଲୋକଙ୍କୁ ବନ୍ଦୀ କରି ଗାଜା ଷ୍ଟ୍ରିପ ନେଇଯାଇଥିଲା ।

ସେହିପରି ଗତକାଲି ହମାସର ସର୍ବୋଚ୍ଚ ନେତା ଇସମାଇଲ୍‌ ହାନିୟାଙ୍କୁ ତେହେରାନରେ ହତ୍ୟା କରାଯାଇଥିଲା । ଇରାନ ରାଜଧାନୀ ତେହରାନସ୍ଥିତ ବାସଭବନରେ ବିସ୍ଫୋରଣରେ ତାଙ୍କର ମୃତ୍ୟୁ ଘଟିଥିଲା । ହାନିୟାଙ୍କ ସହ ତାଙ୍କ ବଡିଗାର୍ଡଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।

ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଥିଲା କି, ହାନିୟାଙ୍କ ଆଡ୍ଡାସ୍ଥଳୀକୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଥିଲା, ଯେଉଁଥିରେ ତାଙ୍କର ମୃତ୍ୟୁ ଘଟିଥିଲା ।

You might also like