ମଧ୍ୟପ୍ରାଚ୍ୟରେ ଥମିବ ଯୁଦ୍ଧ ! ଆଜିଠୁ ହମାସ – ଇସ୍ରାଏଲ ଅସ୍ଥାୟୀ ଅସ୍ତ୍ରବିରତି

ଶାନ୍ତ ହେବ ମଧ୍ୟପ୍ରାଚ୍ୟ । ଆଜିଠୁ ଗାଜାରେ ଗର୍ଜିବନି ବନ୍ଧୁକ । ହମାସ – ଇସ୍ରାଏଲ ଅସ୍ତ୍ରବିରତି ଚୁକ୍ତି ଆଜିଠାରୁ କାର୍ଯ୍ୟକାରୀ ହେବ। ୧୫ ମାସର ଯୁଦ୍ଧରେ ବିରାମ ଲାଗିବ। ସ୍ଥାନୀୟ ସମୟ ସକାଳ ସାଢ଼େ ୮ଟାରୁ ଅସ୍ତ୍ର ବିରତି ଆରମ୍ଭ ହେବ । ଚୁକ୍ତି ଅନୁସାରେ ୩୩ ଜଣ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କରିବ ହମାସ । ବଦଳରେ ୨ ହଜାର ପାଲେଷ୍ଟନୀୟ ପଣବନ୍ଦୀଙ୍କୁ ମୁକ୍ତ କରିବ ଇସ୍ରାଏଲ ।
ଅନ୍ୟପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ୩୩ ପଣବନ୍ଦୀଙ୍କ ତାଲିକା ନଦେବା ପର୍ଯ୍ୟନ୍ତ ଇସ୍ରାଏଲ ଆଗକୁ ବଢ଼ିବ ନାହିଁ । ଇସ୍ରାଏଲ କେବେ ବି ଚୁକ୍ତି ଖିଲାପକୁ ବରଦାସ୍ତ କରିବ ନାହିଁ । ହମାସ ପାଖରେ ଏବେ ୯୮ ଜଣ ଇସ୍ରାଏଲୀ ନାଗିରକ ପଣବନ୍ଦୀ ହୋଇ ରହିଛନ୍ତି। ଏହି ଅସ୍ତ୍ରବିରତି ପର୍ଯ୍ୟାୟରେ ସେମାନଙ୍କ ମଧ୍ୟରୁ ୩୩ ଜଣଙ୍କୁ ଛାଡ଼ିବ ହମାସ । ମୁକ୍ତି ପୂର୍ବରୁ ସେମାନଙ୍କ ତାଲିକା ଦେବାକୁ କହିଥିଲା ହମାସ । ୨୦୨୩ ଅକ୍ଟୋବର ୭ରେ ଆରମ୍ଭ ହୋଇଥିଲା ହମାସ-ଇସ୍ରାଏଲ ଯୁଦ୍ଧ। ସେହି ଦିନରୁ ମଧ୍ୟପ୍ରାଚ୍ୟ ଅଶାନ୍ତ ରହିଛି । ଇସ୍ରାଏଲ ଆକ୍ରମଣରେ ଏପର୍ଯ୍ୟନ୍ତ ୪୬ ହଜାର ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଛି । ଆଜିଠାରୁ ଆରମ୍ଭ ହେଉଥିବା ଅସ୍ତ୍ରବିରତି ୪୨ ଦିନ ଜାରି ରହିବ ।
Also Read: ପାକିସ୍ତାନ: ଅଲକାଦିର୍ ଟ୍ରଷ୍ଟ ମାମଲାରେ ଇମ୍ରାନ ଖାନଙ୍କୁ ୧୪ ବର୍ଷ ଓ ପତ୍ନୀଙ୍କୁ ୭ ବର୍ଷ ଜେଲ୍