ବେରୁଟ ଉପରେ ଏୟାର ଷ୍ଟ୍ରାଇକ କଲା ଇସ୍ରାଏଲ, ୪୦ରୁ ଅଧିକ ମୃତ
ଲେବନାନ ଉପରେ ପୁଣିଥରେ ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ । ଲେବନାନର ରାଜଧାନୀ ବେରୁଟ ସହର ଉପରେ ଏୟାର ଷ୍ଟ୍ରାଇକ କରିବା ଫଳରେ ଶିଶୁଙ୍କ ସମେତ ୪୦ ଜଣ ପ୍ରାଣ ହରାଇଛନ୍ତି । ଇସ୍ରାଏଲ ତରଫରୁ ହିଜବୁଲ୍ଲା ଠିକଣା ଉପରେ ଲଗାତାର ଆକ୍ରମଣ କରୁଛି । ଏନେଇ ଲେବନାନ୍ ଅଧିକାରୀମାନେ ଶନିବାର କହିଛନ୍ତି ।
ଲେବାନନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ନଭେମ୍ବର ୮ ତାରିଖ ଶୁକ୍ରବାର ଦିନ ସହର ଟାୟାରରେ ୭ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଆକ୍ରମଣ ପୂର୍ବରୁ ଇସ୍ରାଏଲ ସେନା ସହରର ଅନେକ ସ୍ଥାନକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲା । ତେବେ ବେରୁଟ ସହର ଉପରେ ଆକ୍ରମଣ କରିବା ପୂର୍ବରୁ କିନ୍ତୁ ଇସ୍ରାଏଲ ସେନା କୌଣସି ଆଗୁଆ ସୂଚନା ଦେଇନଥିଲା ।
ଇସ୍ରାଏଲ ଆକ୍ରମଣ ପରେ ଲେବନାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି, ଆକ୍ରମଣ ପରେ ଉଦ୍ଧାର ହୋଇଥିବା ମୃତକଙ୍କ ଶରୀରର ଡିଏନଏ ପରୀକ୍ଷା କରାଯିବ । ଲେବନାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର କହିଛି ଯେ ନିକଟବର୍ତ୍ତୀ ସହରଗୁଡ଼ିକରେ ହୋଇଥିବା ଆକ୍ରମଣରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଆକ୍ରମଣରେ ବାଲବେ ପାଖାପାଖି ଅଞ୍ଚଳରେ ୨୦ ଜଣ ଲୋକେ ମୃତ୍ୟୁବରଣ କରିଛନ୍ତି । ଇସ୍ରାଏଲର ଲଗାତାର ଆକ୍ରମଣରେ ୩ହଜାର ୧୩୬ ଜଣ ଲୋକେ ମରିଲେଣି ଏବଂ ୧୩ ହଜାର ୯୭୯ ଜଣ ଲୋକେ ଆହତ ହୋଇସାରିଛନ୍ତି । ଏଥିରେ ୬୧୯ ଜଣ ମହିଳା ଏବଂ ୧୯୪ ଜଣ ଶିଶୁ ସାମିଲ ଅଛନ୍ତି ।
ସୂଚନାଯୋଗ୍ୟ, ୨୦୨୪ ସେପ୍ଟେମ୍ବରରୁ ଇସ୍ରାଏଲ ଲଗାତାର ଲେବନାନ ଉପରେ ଆକ୍ରମଣ କରୁଛି । ତେବେ ହିଜବୁଲ୍ଲା ସହ ଇସ୍ରାଏଲର ସଂଘର୍ଷ ଗତ ବର୍ଷ ଅକ୍ଟୋବର ମାସରୁ ଜାରି ରହିଛି ।