ପୃଥିବୀ ଆଡକୁ ମାଡି ଆସୁଛି ବିଶାଳକାୟ ଗ୍ରହାଣୁ ‘ଆପୋଫିସ୍’, ଏପ୍ରିଲ ୧୩ରେ ହେବ ମାଡ଼!

ବେଙ୍ଗାଲୁରୁ: ଧ୍ଵଂସ ପାଇବ କି ପୃଥିବୀ? ଧ୍ଵଂସ କରିବ କି ଆଷ୍ଟରଏଡ୍ ବା ଗ୍ରହାଣୁ? ଏକ ବିଶାଳକାୟ ଗ୍ରହାଣୁ ପୃଥିବୀ ଆଡକୁ ମାଡି ଆସୁଛି । ଯାହା ସୂଚନା ମିଳିଛି, ଏହି ଗ୍ରହାଣୁର ନାଁ ‘୯୯୯୪୨ ଆପୋଫିସ୍’ । ଏହାର ନାମକରଣ ଇଜିପ୍ଟଜିର ଦେବତାଙ୍କ ନାମ ଅନୁସାରେ ନାମିତ ହୋଇଛି । ଇସ୍ରୋ ମୁଖ୍ୟ ଡକ୍ଟର ଏସ୍ ସୋମନାଥ ଏହି ବିଷୟକୁ ନେଇ ଚେତାବନୀ ଦେଇ କହିଛନ୍ତି ଯେ, ଏହା ପୃଥିବୀ ଆଡକୁ ଦ୍ରୁତ ଗତିରେ ମାଡି ଆସୁଛି ଏବଂ ଏପ୍ରିଲ ୧୩, ୨୦୨୯ରେ ପୃଥିବୀ ସହିତ ଧକ୍କା ହେବାର ସମ୍ଭାବନା ରହିଛି ।

ଏସ୍ ସୋମନାଥ କହିଛନ୍ତି, ଯଦି ଏହା ପୃଥିବୀ ସହିତ ଧକ୍କା ହୁଏ ତେବେ ମଣିଷ ଜାତି ସମ୍ପୂର୍ଣ୍ଣ ଭାବେ ଲୋପ ପାଇଯିବ । ଇସ୍ରୋ ଏହି ବିପଦକୁ ନେଇ ବହୁତ ସତର୍କ ରହିଥିବାବେଳେ, ନେଟୱର୍କ ଫର୍ ସ୍ପେସ୍ ଅବଜେକ୍ଟ ଟ୍ରାକିଂ ଆଣ୍ଡ ଆନାଲିସିସ୍ (NETRA) ଏହା ଉପରେ ଅତି ନିକଟରୁ ନଜର ରଖିଥିବା ନେଇ ସେ ସୂଚନା ଦେଇଛନ୍ତି । ଏହାସହ ସେ କହିଛନ୍ତି, ସର୍ବଶେଷରେ ସତ କଥାଟି ହେଲାକି ଆମ ପାଖରେ ରହିବା ପାଇଁ କେବଳ ଗୋଟିଏ ପୃଥିବୀ ଅଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭବିଷ୍ୟତରେ ଏହିପରି ବିପଦକୁ ଏଡାଇବା ପାଇଁ ସମସ୍ତ ଦେଶ ସହ ଆମେ ସହଯୋଗ କରିବୁ।

ତେବେ ବୈଜ୍ଞାନିକଙ୍କ ଆକଳନ ଅନୁସାରେ, ୨୦୨୯ ମସିହା ଏପ୍ରିଲ ୧୩ ତାରିଖରେ ଆପୋଫିସ୍ ପୃଥିବୀର ସବୁଠୁ ନିକଟତର ହେବ । ଏହି ଆପୋଫିସର ବ୍ୟାସ ପ୍ରାୟ ୩୪୦-୩୫୦ ମିଟର । ମୁକାବିଲା ଲାଗି ବିଶ୍ୱର ସବୁ ଦେଶ ଏବେଠୁ ପ୍ରସ୍ତୁତି ଚଳାଇଛନ୍ତି । ଯାହା କୁହାଯାଇଛି କି, ୨୦୦୪ ମସିହାରେ ଆପୋଫିସ୍ ପ୍ରଥମେ ଆବିଷ୍କୃତ ହୋଇଥିଲା । ସେବେଠାରୁ ପୃଥିବୀ ସହ ଏହାର ନିକଟତର ହେବାର ଅବଧିକୁ ଟ୍ରାକ୍ କରାଯାଉଛି । ୨୦୨୯ ପରେ ୨୦୩୬ ମସିହାରେ ଏହା ପୁଣି ଥରେ ପୃଥିବୀର ନିକଟତର ହେବ । ଯେଉଁ ଦୂରତାରେ ଆପୋଫିସ୍ ପୃଥିବୀର ନିକଟତର ହେବାର ସମ୍ଭାବନା ରହିଛି, ତା ତୁଳନାରେ ଏକ କକ୍ଷରେ ଥିବା ଭାରତର ଜିଓ ଷ୍ଟେସନାରୀ ସାଟେଲାଇଟ୍ ଗୁଡିକ କେତେ ଉଚ୍ଚତାରେ ଅଛନ୍ତି, ତାହା ତଥ୍ୟ ଜରିଆରେ ବିଚାର କରାଯିବ ।

ତେବେ ଇସ୍ରୋର ଆକଳନ ଅନୁସାରେ ୩୦୦ ମିଟରରୁ ଅଧିକ ବିଶାଳ ଗ୍ରହାଣୁ ମହାଦେଶ ସ୍ତରରେ ଧ୍ଵଂସଲୀଳା ରଚିପାରେ । ଇସ୍ରୋର ନେଟ୍ରା ପ୍ରୋଜେକ୍ଟର ନେତୃତ୍ୱ ନେଇଥିବା ଏ.କେ ଅନୀଲ କୁମାର କହିଛନ୍ତି, ପୃଥିବୀ ସହ ବିଶାଳ ଗ୍ରହାଣୁର ଧକ୍କା ଧ୍ଵଂସର କାରଣ ହୋଇପାରେ । ତେବେ ଆପଣ ଜାଣି ଚକିତ ହେବେ କି ଭାରତର ବୃହତ୍ତମ ବିମାନ ପରିବହନକାରୀ INS ବିକ୍ରମାଦିତ୍ୟ ଏବଂ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଠାରୁ ଏହି ଆଷ୍ଟରଏଡ୍ ‘ଆପୋଫିସ୍’ ଆହୁରୀ ବଡ଼ ଅଟେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like