ଦେଶର ଦ୍ଵିତୀୟ ଓ ବିଶ୍ୱର ତୃତୀୟ ମନ୍ଥର ସହର ବେଙ୍ଗାଲୁରୁ, ୧୦ କିମି ଯିବାକୁ ଲାଗୁଛି ୧ ଘଣ୍ଟା

ଭାରତର ଆଇଟି ହବ୍ ଭାବେ ପରିଚିତ ବେଙ୍ଗାଲୁରୁ ସହର । ଯେଉଁଠି ଶତାଧିକ ଆଇଟି କମ୍ପାନୀ ରହିଛି । ଏହା ଛଡା ଏହି ସହରକୁ ମେଟ୍ରୋପଲିଟିସିୟାନ ସହର ମଧ୍ୟ କୁହାଯାଇଛି । କାରଣ ଏହି ସହରରେ କେବଳ ଭାରତୀୟ ନୁହେଁ ବିଦେଶୀମାନେ ମଧ୍ୟ ଏହାକୁ ନିଜ କର୍ମ କ୍ଷେତ୍ର ବନାଇ ସାରିଛନ୍ତି । ଆଜିକାଲିର ପ୍ରାୟତଃ ଯୁବପିଢ଼ିଙ୍କୁ ରୋଜଗାରର ପନ୍ଥା ଦେଇଛି ଏହି ସହର । କିନ୍ତୁ ସହରର ଏକମାତ୍ର ଅସୁବିଧା ହେଉଛି ଟ୍ରାଫିକ ସମସ୍ୟା ।

ନିକଟରେ ଏକ ଟ୍ରାଫିକ ଇଣ୍ଡେକ୍ସ ରିପୋର୍ଟ ଅନୁଯାୟୀ ଭାରତର ଅନ୍ୟ ସହର ତୁଳନାରେ ବେଙ୍ଗାଲୁରୁ ସହରରେ ଅଧିକ ଟ୍ରାଫିକ ସମସ୍ୟା ରହିଛି ବୋଲି ପ୍ରକାଶ ପାଇଛି । ଯାହାକି ଦେଶର ଦ୍ଵିତୀୟ ଓ ବିଶ୍ୱର ତୃତୀୟ ମନ୍ଥର ସହର ବୋଲି ବିବେଚନା କରଯାଇଛି । ସୂଚନା ଅନୁସାରେ ସହରର କେନ୍ଦ୍ରରେ ମାତ୍ର ୧୦ କିମି ଅତିକ୍ରମ କରିବାକୁ ହାରାହାରି ୩୪ ମିନିଟ୍ ସମୟ ଲାଗୁଛି । ତେବେ ଅଧିକାଂଶ ସମୟରେ ଏହାର ସମୟ ବୃଦ୍ଧି ମଧ୍ୟ ପାଉଛି ।

ସେଥିପାଇଁ ବେଙ୍ଗାଲୁରୁବାସୀ ସବୁବେଳେ କୁହନ୍ତି ଯାହା ବି କରିବ ବେଙ୍ଗାଲୁରୁ ଟ୍ରାଫିକ ଉପରେ କେବେ ବି ଭରସା କରିବ ନାହିଁ । ଏପଟେ ବେଙ୍ଗାଲୁରୁ ଟ୍ରାଫିକ ପୋଲିସ ଏହାକୁ ନେଇ ଏହି ରିପୋର୍ଟ ଅବାସ୍ତବ ବୋଲି କହିଥିବା ବେଳେ ସତରେ ଦେଖିବାକୁ ଗଲେ ଏହି ସ୍ଥାନରେ ମାତ୍ର ୧୦ କିମି ଅତିକ୍ରମ କରିବାକୁ ଅଧିକ ସମୟ ଲାଗୁଛି । ସହରର ସିଲିକ ବୋର୍ଡ ଠାରୁ ଜଣେ ବାହାରିଲେ ମାରଥଳୀ ମାତ୍ର ୯.୬ କିମି ଥିବା ବେଳେ ଅତିକ୍ରମ କରିବାକୁ ଲାଗିଛି ୫୫ ମିନିଟ୍ କାରଣ ଆଗରା ଜକ୍ସନ୍ ଓ ମରଥଳୀ ମଲ୍ଟିପ୍ଲେକ ଉଭୟକୁ ଅତିକ୍ରମ କରିବାକୁ ହାରାହାରି ୨୦ ମିନିଟ୍ ସମୟ ଲାଗୁଛି ।

କାରଣ ଏହି ୯ କିମି ବ୍ୟବଧାନ ମଧ୍ୟରେ ୧୬ ଟି ଟେକ୍ ପାର୍କ ଓ ୪୬୦ ଟି ଟେକ୍ କମ୍ପାନୀ ରହିଛି । ଯେଉଁଥିରେ ପ୍ରାୟ ୫ ଲକ୍ଷ କର୍ମଚାରୀ ରହିଛନ୍ତି । ସେହି ଭଳି ଅନ୍ୟ ଗହଳିପୁର୍ଣ୍ଣ ସ୍ଥାନମାନଙ୍କରେ ଏକ ଟ୍ରାଫିକ ଅତିକ୍ରମ କରିବା ପାଇଁ ଆହୁରି ଅଧିକ ସମୟ ଲାଗିଥାଏ । ସୂଚନା ମୁତାବକ ଏଠାକାର ଅଧିକାଂଶ ବ୍ୟକ୍ତି ମେଟ୍ରୋ ଉପରେ ନିର୍ଭର କରିଥାନ୍ତି । ଏହାର କାରଣ ବି ଏଠାକାର ଟ୍ରାଫିକ । ସେଥିପାଇଁ ସକାଳ ୧୦ ଟାରେ ଅଫିସ ଥିଲେ ଲୋକଙ୍କୁ ସକାଳ ୮ ଟାରୁ ଘରୁ ବାହାରିବାକୁ ପଡୁଛି ।

ତେବେ ଅଧିକାଂଶ ବ୍ୟକ୍ତି ୪ ଚକିଆ ଯାନ ବ୍ୟବହାର କରୁଥିବା କାରଣରୁ ଏଭଳି ଟ୍ରାଫିକ ସମସ୍ୟା ଉପୁଜୁଥିବା କହିଛନ୍ତି କିଛି ବ୍ୟକ୍ତି । ତେବେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଟ୍ରାଫିକ ପୋଲିସ ଲାଗିପଡ଼ିଛି ତଥାପି କୌଣସି ସୁଫଳ ମିଳିପାରୁନାହିଁ । ଯେଉଁଥିପାଇଁ ଏହାକୁ ଏବେ ଦେଶର ଦ୍ଵିତୀୟ ଏବଂ ବିଶ୍ୱର ତୃତୀୟ ମନ୍ଥର ସହର ବୋଲି ବିବେଚନା କରାଯାଇଛି ।

You might also like