ତିରୁପତିଙ୍କ ପ୍ରସାଦରେ ପଶୁ ଚର୍ବି ଦାବି ଉପରେ ଆସିଲା ଜଗନ୍ ମୋହନ ରେଡ୍ଡୀଙ୍କ ପ୍ରତିକ୍ରିୟା

ତିରୁପତିଙ୍କ ଲଡୁ ପ୍ରସାଦକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଶାସକ ତେଲୁଗୁ ଦେଶମ ପାର୍ଟିର ଅଭିଯୋଗ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସମସ୍ତ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଜଗନ୍ ମୋହନ ରେଡ୍ଡୀ ।

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବୁଧବାର ଦାବି କରିଥିଲେ ଯେ ପୂର୍ବ ସରକାରରେ ତିରୁପତି ମନ୍ଦିରର ପ୍ରସାଦରେ ଘିଅ ବଦଳରେ ପଶୁ ଚର୍ବି ଏବଂ ମାଛ ତେଲ ବ୍ୟବହାର କରାଯାଉଥିଲା । ବର୍ତ୍ତମାନ ଏହି ଅଭିଯୋଗର ଜବାବ ଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‘ଭଗବାନଙ୍କ ନାମରେ ରାଜନୀତି କରାଯାଉଛି’।

ଜଗନ୍ ମୋହନ ରେଡ୍ଡୀ ଆହୁରି କହିଛନ୍ତି, ଟେଣ୍ଡର ପ୍ରକ୍ରିୟା ପ୍ରତି ଛଅ ମାସରେ ହୋଇଥାଏ । ଦଶନ୍ଧି ଧରି ଯୋଗ୍ୟତା ମାନଦଣ୍ଡ ପରିର୍ବତ୍ତନ ହୋଇ ନାହିଁ । ଯୋଗାଣକାରୀଙ୍କୁ NABL ସାର୍ଟିଫିକେଟ ପ୍ରଦାନ କରିବା ଉଚିତ୍ । ଘିଅର ନମୁନା ସଂଗ୍ରହ କରାଯାଏ । କେବଳ ସାର୍ଟିଫିକେଟ ପାସ୍ କରୁଥିବା ପ୍ରଡକ୍ଟକୁ ହିଁ ବ୍ୟବହାର କରିବାକୁ ମଞ୍ଜୁରୀ ମିଳିବା ଉଚିତ । ଟିଡିପି ଧାର୍ମିକ ପ୍ରସଙ୍ଗକୁ ରାଜନୀତିକରଣ କରୁଛି । ଆମ ଶାସନ କାଳରେ ଆମେ ୧୮ ଥର ଉତ୍ପାଦକୁ ପ୍ରତ୍ୟାଖ୍ୟାନ କରିଛୁ ।

ଜଗନ୍ ମୋହନ ରେଡ୍ଡୀ ନିଜ ପ୍ରଶାସନ ବିରୋଧରେ ହୋଇଥିବା ଅଭିଯୋଗକୁ ମିଥ୍ୟା ଏବଂ ଅନାବଶ୍ୟକ ବୋଲି କହିଛନ୍ତି ।

କହି ରଖୁଛୁ, ଚଳିତ ସପ୍ତାହ ଆରମ୍ଭରେ ଆନ୍ଧ୍ର ସିଏମ୍ ଚନ୍ଦ୍ରବାବୁ ନାଇଡୁ ଦାବି କରିଛନ୍ତି ଯେ ପୂର୍ବ ସରକାରଙ୍କ ସମୟରେ ତିରୁପତି ମନ୍ଦିରରେ ଲଡୁ ତିଆରି ପାଇଁ ପଶୁ ଚର୍ବି ଏବଂ ଅନ୍ୟାନ୍ୟ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇଥିଲା । ସେପ୍ଟେମ୍ବର ୨୦ରେ ଗୁଜରାଟସ୍ଥିତ ପଶୁଧନ ଲାବୋରେଟୋରୀ ଏନ୍‌ଡିଡିବି ସିଏଏଲ୍‌ଏଫ୍‌ ଲିମିଟେଡ ମଧ୍ୟ ଏହାକୁ ନିଶ୍ଚିତ କରିଛି । ଏହି ରିପୋର୍ଟର ଏକ କପିକୁ ଟିଡିପି ପ୍ରବକ୍ତା ଅନମ ଭେଙ୍କଟ ରମଣ ରେଡ୍ଡୀ ସେୟାର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like