ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡ଼, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କରାଇଲେ ଶପଥ ପାଠ

ଦେଶର ୧୪ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜଗଦୀପ ଧନଖଡ଼ । ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଧନଖଡଙ୍କୁ ଶପଥ ପାଠ କରାଯାଇଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହା ସମେତ ମନ୍ତ୍ରୀମଣ୍ଡଳର ଅନେକ ମନ୍ତ୍ରୀ ଉପସ୍ଥିତ ଥିଲେ।

ଉପରାଷ୍ଟ୍ରପତି ପଦରେ ଶପଥ ନେବା ପୂର୍ବରୁ ଧନଖଡ଼ ମହାତ୍ମା ଗାନ୍ଧୀଙ୍କ ସ୍ମାରକୀକୁ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସୂଚନାନୁସାରେ, ଗତ ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହୋଇଥିଲା। ନିର୍ବାଚନରେ ଧନଖଡ଼ଙ୍କୁ ୫୨୮ ଭୋଟ୍ ମିଳିଥିଲା ଏବଂ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସ ନେତ୍ରୀ ମାର୍ଗାରେଟ ଆଲଭାଙ୍କୁ ୧୮୨ ଭୋଟ୍ ମିଳିଥିଲା।

ଶନିବାର ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦର ମୋଟ୍ ୭୮୦ ସାଂସଦଙ୍କ ମଧ୍ୟରୁ ୭୨୫ ସାଂସଦ ମତାଧିକାର ସାବ୍ୟସ୍ତ କରିଥିଲେ। ଟିଏମସିର ୩୪ ସାଂସଦ, ଏସପି ଏବଂ ଶିବସେନାର ଦୁଇ ଜଣ ଏବଂ ବିଏସପିର ଜଣେ ସାଂସଦ ଭୋଟିଂରୁ ବିରତ ରହିଥିଲେ।

ସୂଚନାଯୋଗ୍ୟ, ନିକଟରେ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ସହଜ ବିଜୟ ହାସଲ କରିଥିଲେ। ଦ୍ରୌପଦୀ ମିଳିତ ବିରୋଧୀ ପ୍ରାର୍ଥୀ ଯଶଓ୍ଵନ୍ତ ସିହ୍ନାଙ୍କୁ ହରାଇ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.