ଜୟପୁର ନାହରଗଡ଼ରୁ ସାମ୍ନାକୁ ଆସିଛି ହିଟ୍ ଆଣ୍ଡ ରନର ଭୟଙ୍କର ଦୃଶ୍ୟ: ୨ ମୃତ, ୮ ଗୁରୁତର

ଜୟପୁର: ରାସ୍ତାରେ ଯାଉଥିଲେ ସାବଧାନ୍ ! ଦେଖି ରଖି ଯାତାୟତ କରନ୍ତୁ । ଆପଣ ସିନା ଠିକ୍ ଥିବେ, ହେଲେ ଏମିତି କିଛି ବେଲଗାମ୍ ଗାଡି ଚାଳକ ଅଛନ୍ତି ନିଜର ମୁର୍ଖାମୀ ପାଇଁ ଏମାନେ ବାଜି ଲଗାଇ ଦିଅନ୍ତି ଅନ୍ୟର ଜୀବନ । ଯାହାର ଏକ ଛାତିଥରା ଘଟଣା ଏବେ ସାମ୍ନାକୁ ଆସିଛି ।

ଦୃତ ଗତିରେ ଆସିଲା, ପିଟି ଦେଇ ଚାଲିଗଲା । ହିଟ୍ ଆଣ୍ଡ ରନ୍ ର ଲୋମଟାଙ୍କୁରା ଦୃଶ୍ୟ । ରାସ୍ତାରେ ଯାଉଥିବା ଲୋକଙ୍କ ଉପରେ ଚଢିଗଲା ବେଲଗାମ କାର୍ । ପୋକ ମାଛି ଭଳି ଜନଗହଳିପୂର୍ଣ୍ଣ ରାସ୍ତାରେ ସମସ୍ତଙ୍କୁ ଦଳି ଚକଟି ଛୁ ମାରିଲା । ଏଭଳି ଏକ ଭୟଙ୍କର ସଡକ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୮ଜଣ ଗୁରୁତର ଆହତ ହୋଇଛନ୍ତି । ଜୟପୁରର ନାହରଗଡ଼ରୁ ସାମ୍ନାକୁ ଆସିଛି ହିଟ୍ ଆଣ୍ଡ ରନର ଭୟଙ୍କର ଦୃଶ୍ୟ । ରାସ୍ତାରେ ଯାଉଥିବା ବେଳେ ଲୋକଙ୍କ ଉପରେ ହଠାତ୍ ଚଢିଯାଇଥିଲା ଦୃତ ଗତିରେ ଯାଉଥିବା ଧଳା ରଙ୍ଗର କାର୍ ।

ଭିଡିଓରେ ଦେଖିବାକୁ ମିଳିଛି କି, କିପରି ଏକ ଛୋଟ ଗଳି ରାସ୍ତାଟିରେ ଲୋକମାନେ ଯିଏ ଯାହା କାମରେ ଯାଉଛନ୍ତି । ସେହି ସମୟରେ ହଠାତ୍ ପବନ ବେଗରେ ଏକ ଧଳା କାର୍ ଲୋକମାନଙ୍କ ଉପରେ ଚଢି ଯାଉଛି । ଆଉ ଏମିତି ଚାଲିଯାଉଛି ଯେମିତି କିଛି ହୋଇନି । ଲୋକମାନେ ଚିତ୍କାର କରି କାର୍ ଟିକୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ଚାଳକ କାର୍ ଟିକୁ ନଅଟକାଇ ଫେରାର୍ ହେବାକୁ ଉଦ୍ୟମ କରୁଛନ୍ତି ।

ତେବେ ଯାହା ସୂଚନା ମିଳିଛି କି, ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ପ୍ରାଣବାୟୁ ଉଡିଯାଇଥିଲା । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଏବଂ ଜଣେ ମହିଳା ଥିଲେ ବୋଲି ଜଣାପଡିଛି । ଏହାସହିତ ୮ ଗୁରୁତର ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଗାଡି ଚାଳକ । ପରେ ତାଙ୍କୁ ଗିରଫ କରିଛି ପୋଲିସ୍ । ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିବା ଜଣାପଡିଛି ।

ବିଧିର ବିଧାନ ବଡ଼ ବିଚିତ୍ର । କେତେବେଳେ କଣ ଯେ ଘଟିବ କହି ହେବନି । କାହାର ସମୟ କେତେବେଳେ ସରିବ କିଏ ବା ଜାଣିଛି । ଆଜି ଯିଏ ଏ ଦୁନିଆରେ ଅଛି କାଲି ଯେ ସେ ସକାଳର ସୂର୍ଯ୍ୟ ଦେଖିବ କହିହେବନି । ଯେମିତି ଏହି ଭୟଙ୍କର ଦୁର୍ଘଟଣା ନେଇଗଲା ଦୁଇ ଦୁଇଟି ନୀରିହ ଜୀବନ । ଅକାରଣରେ ଚାଲିଗଲା ସେମାନଙ୍କର ପ୍ରାଣବାୟୁ । ଏଭଳି ଗାଡି ଚାଳକ ଏ ସମାଜ ପାଇଁ ବିପଦ । ଏମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ନୀହାତି ଆବଶ୍ୟକ ।

ଆହୁରି ପଢନ୍ତୁ: ପାକିସ୍ତାନରେ ଭୟଙ୍କର ସଡ଼କ ଦୁର୍ଘଟଣା, ମହିଳା ଏବଂ ଶିଶୁ ସମେତ ୧୧ ଜଣଙ୍କର ମୃତ୍ୟୁ