୨୦୦୮ ଜୟପୁର ବିସ୍ଫୋରଣ ମାମଲାରେ ସମସ୍ତ ଦୋଷୀ ନିର୍ଦ୍ଦୋଷରେ ମୁକ୍ତ, ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ରାଜସ୍ଥାନ କୋର୍ଟ

୨୦୦୮ ମେ’ରେ ଜୟପୁରର ପରକୋଟା ଅଞ୍ଚଳରେ ୮ଟି ସ୍ଥାନରେ ସିରିଏଲ୍‌ ବୋମା ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୭୧ ଜଣଙ୍କର ଜୀବନ ଯାଇଥିଲା। ଏହି ଘଟଣାରେ ୧୮୫ ଲୋକ ଆହତ ହୋଇଥିଲେ।

ରାଜସ୍ଥାନର ରାଜଧାନୀ ଜୟପୁରରେ ୨୦୦୮ ମେ’ ୧୩ରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣ ମାମଲାରେ ରାଜସ୍ଥାନ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏହି ମାମଲାରେ ଜଡିତ ସମସ୍ତ ୪ ଦୋଷୀଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, କୋର୍ଟ ୨୮ଟି ଆବେଦନକୁ ଅନୁମୋଦନ କରି ବୁଧବାର ଏହି ରାୟ ଦେଇଛନ୍ତି।

କୋର୍ଟରେ ଜଷ୍ଟିସ୍ ପଙ୍କଜ ଭଣ୍ଡାରୀ ଓ ସମୀର ଜୈନଙ୍କ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇ କହିଛନ୍ତି ଯେ ମାମଲାରେ ତଦନ୍ତକାରୀ ଅଧିକାରୀଙ୍କ ପାଖରେ ଆଇନଗତ ତଥ୍ୟ ନାହିଁ। ତେବେ ଏହି ମାମଲାରେ ୨୦୧୯ ଡିସେମ୍ବର ୨୦ରେ ସ୍ୱତନ୍ତ୍ର କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ।

ରାଜସ୍ଥାନ ହାଇକୋର୍ଟ ଏହି ମାମଲାରେ ମୃତ୍ୟୁଦଣ୍ଡ ସମେତ ଦୋଷୀମାନଙ୍କ ପକ୍ଷରୁ ଦାଖଲ ୨୮ଟି ଆବେଦନ ଉପରେ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ମାମଲାରେ ଏଟିଏସ୍ ପକ୍ଷରୁ ଭରସାଯୋଗ୍ୟ ପ୍ରମାଣ ଉପସ୍ଥାପିତ କରାଯାଇ ନାହିଁ ଏବଂ କୋର୍ଟ ସମସ୍ତ ପ୍ରମାଣକୁ ଖାରଜ କରିଛନ୍ତି।

କହି ରଖୁଛୁ, ନିମ୍ନ ଅଦାଲତ ଜୟପୁର ସିରିଏଲ ବୋମା ବିସ୍ଫୋରଣ ମାମଲାରେ ସମସ୍ତ ଦୋଷୀ ସୈଫ, ସୈଫୁରହମାନ, ସଲମାନ ଓ ସରବର ଆଜମୀଙ୍କୁ ଫାଶୀଦଣ୍ଡ ଶୁଣାଇଥିଲେ। ୨୦୦୮ ମେ’ରେ ଜୟପୁରର ପରକୋଟା ଅଞ୍ଚଳରେ ୮ଟି ସ୍ଥାନରେ କ୍ରମାଗତ ଭାବେ ବୋମା ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୭୧ ଜଣଙ୍କର ଜୀବନ ଯାଇଥିଲା। ଏହି ଘଟଣାରେ ୧୮୫ ଲୋକ ଆହତ ହୋଇଥିଲେ।

ଜୟପୁର ବୋମା ବିସ୍ଫୋରଣ ମାମଲାରେ କୋର୍ଟ ୪ ଅଭିଯୁକ୍ତଙ୍କୁ ହତ୍ୟା, ଦେଶଦ୍ରୋହ ଏବଂ ବିସ୍ଫୋଟକ ଅଧିନିୟମ ଅନୁସାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏହା ବ୍ୟତୀତ ପୂରା ମାମଲାରେ ୧୩ ଜଣଙ୍କୁ ପୋଲିସ ଅଭିଯୁକ୍ତ କରିଥିଲା, ଯେଉଁମାନଙ୍କ ମଧ୍ୟରୁ ୩ ଜଣ ଏ ପର୍ଯ୍ୟନ୍ତ ଫେରାର ଥିବାବେଳେ ସେପଟେ ୩ ଜଣ ହାଇଦ୍ରାବାଦ ଏବଂ ଦିଲ୍ଲୀ ଜେଲରେ ଦଣ୍ଡ ଭୋଗୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.