‘ଅପରେସନ ସିନ୍ଦୂର’ରେ ଆତଙ୍କୀ ମୁଖ୍ୟ ମାସୁଦ ପରିବାର ସଫା, ୧୪ ଜଣ ସଦସ୍ୟଙ୍କ ମୃତ୍ୟୁ

‘ଅପରେସନ ସିନ୍ଦୂର’ରେ ଥରୁଛି ପାକିସ୍ତାନ । ଭାରତ କରିଥିବା ଏୟାର ଷ୍ଟ୍ରାଇକରେ ମାସୁଦ ଅଜହରର ଘର ଉପରେ ଆକ୍ରମଣ ହୋଇଛି । ଯେଉଁଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ମାସୁଦର ୪ ଅତି ନିକଟ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଛି । ତେବେ ରିପୋର୍ଟରେ କୁହାଯାଉଛି ମାସୁଦ ପରିବାରର ୧୪ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ମାସୁଦଙ୍କ ବଡ଼ ଭଉଣୀ, ଭିଣୋଇ, ଭଣଜା, ଭଣଜାଙ୍କ ପତ୍ନୀ, ଭାଣେଜୀ, ୫ ପିଲା, ୪ ଜଣ ସଂପର୍କୀୟଙ୍କ ମୃତ୍ୟୁ ହୋଇଛି ।  ମୃତକଙ୍କ ତାଲିକାରେ ମାସୁଦ ଅଜହରର ଭାଇ ଏବଂ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ରୌଫ୍ ଅସଗରର ପୁଅ ହୁଜୈଫା ମଧ୍ୟ ରହିଛି । ଏହା ବ୍ୟତୀତ ରୌଫ ଅସଗରଙ୍କ ଭାଇର ସ୍ତ୍ରୀଙ୍କ ମୃତ୍ୟୁ ଖବର ମଧ୍ୟ ସାମନାକୁ ଆସୁଛି।

ସେନା, ନୌସେନା ଏବଂ ବାୟୁସେନାର ମିଳିତ ଅପରେସନରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି । ଭାରତ ଏହି ଅଭିଯାନର ନାମ ଅପରେସନ ସିନ୍ଦୂର ଦେଇଛି । ଭାରତୀୟ ସେନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏହି କାର୍ଯ୍ୟାନୁଷ୍ଠାନ ବିଷୟରେ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରାଯାଇଛି ।


କର୍ଣ୍ଣେଲ ସୋଫିଆ କ୍ୟୁରେସୀ ଆୟୋଜିତ ଗଣମାଧ୍ୟମ ସମ୍ମିଳନୀରେ ଅପରେସନର ସମ୍ପୂର୍ଣ୍ଣ ବିବରଣୀ ଦେଇଛନ୍ତି । ସେ କହିଛନ୍ତି ଯେ, ରାତି ୧:୦୫ ରେ ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍ ହୋଇଥିଲା । ଏହି ଅପରେସନରେ ୯ଟି ସ୍ଥାନରେ ଆକ୍ରମଣ କରାଯାଇଥିଲା। ଏହି ରାତି ୧.୦୫ ରୁ ୧.୩୦ ପର୍ଯ୍ୟନ୍ତ ୨୫ ମିନିଟ୍ ଧରି ଚାଲିଥିଲା ।

ସାରା ଦେଶ ଶୋଇଥିବା ବେଳେ ସେନା ମଙ୍ଗଳବାର ମଧ୍ୟରାତ୍ରରେ ଏହାର ପ୍ରତିଶୋଧ ନେଇଛି । ସିନ୍ଦୂରର ବଦ୍‌ଲା ସିନ୍ଦୂରରେ ନେଇଛି ସେନା । ଭାରତୀୟ ବାୟୁସେନା ପାକିସ୍ତାନ ଓ ପିଓକେର ୯ଟି ଆତଙ୍କବାଦୀ ଶିବିର ଉପରେ ଏୟାର ଷ୍ଟ୍ରାଇକ୍ କରିଛି । ଭାରତର ଏୟାର ଷ୍ଟ୍ରାଇକ୍‌ରେ ପାକିସ୍ତାନ ଥରହର । ପାକିସ୍ତାନରେ ଏମରଜେନ୍ସି ଜାରି ହୋଇଛି । ଭାରତର ଆକ୍ରମଣ ପରେ ପାକିସ୍ତାନର ସବୁ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି । ମେଡିକାଲରେ ମଧ୍ୟ ଜରୁରୀକାଳୀନ ସ୍ଥିତି ଘୋଷଣା ହୋଇଛି । ରାୱଲପିଣ୍ଡି , ଲାହୋର ବିମାନବନ୍ଦର ବନ୍ଦ ରହିଛି ।

Also Read : ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ ପରେ ଭାରତର ପ୍ରମୁଖ ବିମାନବନ୍ଦର ବନ୍ଦ, ଆଗାମୀ ନିର୍ଦ୍ଦେଶ ଯାଏଁ ବିମାନ ବାତିଲ