ଟ୍ରେନ୍ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି, ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

ମହାରାଷ୍ଟ୍ରରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ହୋଇଛି । ନିଆଁ ଗୁଜବ ପରେ ଗୋଟିଏ ଟ୍ରେନରୁ ଡେଇଁବା ପରେ ଆଉ ଗୋଟିଏ ଟ୍ରେନ ଧକ୍କାରେ ୧୩ ଜୀବନ ଯାଇଥିବା ଜଣାପଡିଛି । ସେଣ୍ଟ୍ରାଲ ସର୍କଲ ରେଲଓ୍ବେ ସେଫ୍ଟି କମିଶନର ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । କିଭଳି ଭାବେ ଏତେ ବଡ ଅଘଟଣ ଘଟିଲା ଏବଂ କିଏ ନିଆଁ ଲାଗିଥିବା ଗୁଜବ ଖବର ଦେଇଥିଲା , ସେ ସବୁକୁ ଯାଞ୍ଚ କରାଯାଉଛି । ଏହି ଦୁର୍ଘଟଣାରେ ମୃତକଙ୍କ ପାଇଁ ରେଳ ବିଭାଗ ପକ୍ଷରୁ ଦେଢ ଲକ୍ଷ ଓ ମହାରାଷ୍ଟ୍ର ସରକାରଙ୍କ ତରଫରୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି ।
ମୁମ୍ବାଇ ରେଳ ଅଧିକାରୀଙ୍କ ସୂଚନା ଅନୁସାରେ, ଗତକାଲି ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁଷ୍ପକ ଏକ୍ସପ୍ରେସ ଜଲଗାଓଁ ଅତିକ୍ରମ କରୁଥିବା ବେଳେ ଗୋଟିଏ ବଗିରେ ନିଆଁ ଲାଗି ଯାଇଥିବା କଥା ପ୍ରଚାର କରାଯାଇଥିଲା । ନିଆଁ ଲାଗିବା କଥା ଶୁଣି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ଏଥିପାଇଁ କିଛି ଯାତ୍ରୀ ଟ୍ରେନକୁ ଅଟକାଇବା ପାଇଁ ଚେନ୍ ଭିଡ଼ି ଦେଇଥିଲେ। ଏହି ସମୟରେ ସନ୍ନିକଟ ଲାଇନ୍ରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ବେଙ୍ଗାଲୁରୁ-ଦିଲ୍ଲୀ କର୍ଣ୍ଣାଟକ ଏକ୍ସପ୍ରେସ୍ ଟ୍ରେନ୍ ସହ ଧକ୍କା ହୋଇ ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
କେନ୍ଦ୍ରୀୟ ରେଳପଥ ଜନସମ୍ପର୍କ ଅଧିକାରୀ ସ୍ବପ୍ନୀଲ ନୀଲାଙ୍କ କହିବାନୁସାରେ ସମ୍ଭବତଃ ବ୍ରେକ୍ ଘଷି ହୋଇ କିମ୍ବା ଗରମ ଏକ୍ସିଲ୍ରୁ ଧୂଆଁ ବାହାରିଥାଇପାରେ। ଏହାକୁ ଦେଖି ଯାତ୍ରୀଙ୍କ ମଧ୍ୟରେ ଅଗ୍ନିକାଣ୍ଡର ଭୟ ଖେଳି ଯାଇଥିଲା । ଆତଙ୍କିତ ଯାତ୍ରୀ କିଛି ଚିନ୍ତା ନକରି ଚେନ୍ ଟାଣି ଟ୍ରେନ୍ରୁ ଡେଇଁ ପଡ଼ିଥିଲେ। ଏହି ଦୁର୍ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରେଳପଥ ପକ୍ଷରୁ ବର୍ଣ୍ଣନା କରାଯାଇଛି ।
ଆହୁରି ପଢନ୍ତୁ : ପୁଷ୍ପକ ଏକ୍ସପ୍ରେସରେ ନିଆଁ ଗୁଜବ ଶୁଣି ଡେଇଁଲେ ଯାତ୍ରୀ, ଧକ୍କା ଦେଲା କର୍ଣ୍ଣାଟକ ଏକ୍ସପ୍ରେସ, ୧୧ ମୃତ