ଦୁଇଟା ଡୋଜ ଟିକାର ସାର୍ଟିଫିକେଟ୍ କିମ୍ବା ୪୮ ଘଣ୍ଟା ପୂର୍ବର RT-PCR ରିପୋର୍ଟ ଥିଲେ ଦେଖି ପାରିବେ ଷଣ୍ଢ ଲଢେଇ: କଟକଣାରେ ହେବ ଜଲ୍ଲିକଟୁ

କେନ୍ୟୁଜ୍(ବ୍ୟୁରୋ):ଚଳିତ ବର୍ଷ ମଧ୍ୟ କୋଭିଡ କଟକଣାରେ ହେବ ଜଲ୍ଲିକଟୁ । ଜଲ୍ଲିକଟୁ ପାଇଁ ଏସ୍ଓପି ଜାରି କରିଛନ୍ତି ତାମିଲନାଡୁ ସରକାର । କେବଳ ୧୫୦ ଜଣ ଦର୍ଶକ କିମ୍ବା ୫୦ ପ୍ରତିଶତ ସିଟିଂ କାପାସିଟିକୁ ମିଳିବ ଅନୁମତି । ଉଭୟ ମଧ୍ୟରୁ ଯେଉଁଥିରେ କମ୍ ଲୋକ ଥିବେ ତାକୁ ଅନୁମତି ମିିଳିବ । କେବଳ ୩୦୦ ଷଣ୍ଢ ମାଲିକ ଏଥିରେ ଅଂଶଗ୍ରହଣ କରିପାରିବେ । ତେବେ ଏଥିପାଇଁ ଉଭୟ ଡୋଜର ଟିକାକରଣ ସାର୍ଟିଫିକେଟ୍ କିମ୍ବା ୪୮ ଘଣ୍ଟା ପୂର୍ବର RT-PCR ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ ।
ଭିଡ କମାଇବା ପାଇଁ ଟେଲିଭିଜନରେ ଏହି ଉତ୍ସବକୁ ଦେଖିବାକୁ ଅନୁରୋଧ କରିଛନ୍ତି ସରକାର । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨ ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି । ଦିନକୁ ଦିନ କୋଭିଡ ମାମଲା ବୃଦ୍ଧି ପାଉଥିବାରୁ ଏପରି ପଦକ୍ଷେପ ନେଇଛନ୍ତି ତାମିଲନାଡୁ ସରକାର । ପ୍ରତିବର୍ଷ ମକର ସଂକ୍ରାନ୍ତି ବା ପୋଙ୍ଗୋଲରେ ତାମିଲନାଡୁରେ ପାଳିତ ହୋଇଥାଏ ପାରମ୍ପରିକ ଜଲ୍ଲିକଟୁ ଉତ୍ସବ ।
ଏଥିରେ ଷଣ୍ଢ ସହ ମଣିଷର ଲଢେଇ ହୋଇଥାଏ । ଏଥିରେ ଅନେକ ଲୋକ ଆହତ ହେବା ସହ ଅନେକଙ୍କ ଜୀବନ ମଧ୍ୟ ଚାଲିଯାଇଥାଏ । ତେଣୁ ଏହି ଖେଳକୁ ବନ୍ଦ କରିବାକୁ ଅନେକ ସମୟରେ ଦାବି ହୋଇଛି ।