ଜମ୍ମୁ କଶ୍ମୀର କୁପଓ୍ଵାଡାରେ ଆତଙ୍କୀ ହାମଲା: ଜଣେ ଯବାନ ସହିଦ, ୪ ଗୁରୁତର

ଉତ୍ତର କଶ୍ମୀରର କୁପଓ୍ଵାଡା ଜିଲ୍ଲାରେ ସୁରକ୍ଷାବଳ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ଆତଙ୍କବାଦୀ ନିପାତ ହୋଇ ଥିବାବେଳେ ୫ ଜଣ ଯବାନ ଆହତ ହୋଇଥିଲେ । ଗୁରୁତର ୨ ଜଣ ଯବାନଙ୍କ ମଧ୍ୟରୁ ଜଣେ ସହିଦ ହୋଇଥିବା ସୂଚନା ମିଳିଛି । ସେହିପରି ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଏବେ ବି ସର୍ଚ୍ଚ ଅପରେସନ ସହ ଗୁଳି ବିନିମୟ ଜାରି ରହିଛି ।
ଖବର ମୁତାବକ, ଆଜି ସକାଳେ ଜମ୍ମୁ କଶ୍ମୀର କୁପୱାଡା ଜିଲ୍ଲାର ମଛିଲ ସେକ୍ଟର ନିକଟରେ ଯବାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ ଆତଙ୍କବାଦୀ । ପାକିସ୍ତାନ ବୋର୍ଡର ଆକ୍ସନ ଟିମ୍ ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିଲେ । ଯାହାକୁ ଭାରତୀୟ ସେନା କଡ଼ା ଜବାବ ଦେଇଛି।
ଯବାନଙ୍କ ପାଲଟା ଆକ୍ରମଣରେ ଜଣେ ଆତଙ୍କାବାଦୀକୁ ନିପାତ କରିଛି ଭାରତୀୟ ସେନା । କିନ୍ତୁ ସେମାନଙ୍କ ପାଲଟା ଆକ୍ରମଣ ସମୟରେ ପାଞ୍ଚ ଜଣ ଯବାନ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିଲା । ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯବାନ ସହିଦ ହୋଇଥିବା ଖବର ମିଳିଛି ।
କିଛି ଦିନ ହେବ କୁପୱାଡାରେ ଆତଙ୍କୀ କାର୍ଯ୍ୟକଳାପ ବଢିଚାଲିଛି । ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ସର୍ଚ୍ଚ ଅପରେସନ ଜାରି ରହିଛି । କିଛିଦିନ ସ୍ଥାନୀୟ ଅଞ୍ଚଳରେ ଶାନ୍ତି ରହିଥିବା ବେଳେ ଏବେ ମାହୋଲ ପୁଣି ଅଶାନ୍ତ ହୋଇପଡିଛି ।
ସୂଚନାଯୋଗ୍ୟ, ନିକଟରେ ଏକ ତୀର୍ଥଯାତ୍ରୀ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏହି ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୪୦ ଜଣ ଆହତ ହୋଇଥିଲେ ।