ଜମ୍ମୁ ଓ କଶ୍ମୀର ପୁନଃ ଗଠନ ବିଲ୍‌,ରାଜ୍ୟପାଳ ନୁହେଁ ରହିବେ ଉପରାଜ୍ୟପାଳ

ଜମ୍ମୁ ଓ କଶ୍ମୀର ପୁନଃ ଗଠନ ଆଇନ କାର୍ଯ୍ୟକାରୀ ହେଲେ ଏହା କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହେବ । ଏଠାରେ ରାଜ୍ୟପାଳ ନୁହେଁ ରହିବେ ଉପରାଜ୍ୟପାଳ । ଜମ୍ମୁ ଓ କାଶ୍ମୀରରେ ରାଷ୍ଟ୍ରପତି, ଉପ ରାଜ୍ୟପାଳଙ୍କ ଦ୍ୱାରା ଶାସନ ପରିଚାଳନା କରିବେ । ସେହିଭଳି ମଧ୍ୟ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ହେବ । ଲଦାଖରେ ଉପ ରାଜ୍ୟପାଳ ଶାସନ ଦାୟିତ୍ୱରେ ରହିବେ । ଜମ୍ମୁ ଓ କାଶ୍ମୀରରେ ଗୋଟିଏ ବିଧାନସଭା ରହିବ । ଏହି ବିଧାନସଭାର ଆସନ ସଂଖ୍ୟା ୧୦୭ ହେବ । ସେ ଭିତରୁ ୨୪ଟି ଆସନ ପାକ ଅଧିକୃତ କଶ୍ମୀର ପାଇଁ ଖାଲି ରଖାଯିବ । ବିଧାନସଭାରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ରହିବ ସଂରକ୍ଷଣ ବ୍ୟବସ୍ଥା । ବିଧାନସଭାର କାର୍ଯ୍ୟକାଳ ହେବ ୫ବର୍ଷ । ବିଧାନସଭା ଦେଶର ସମ୍ବିଧାନ ଅନୁଯାୟୀ ରାଜ୍ୟ ଲିଷ୍ଟ ଅନୁସାରେ ଆଇନ କରିପାରିବ । କେବଳ ପୋଲିସ ଓ ଆଇନ ଶୃଙ୍ଖଳା ପ୍ରସଙ୍ଗରେ କୌଣସି ଆଇନ କରିପାରିବ ନାହିଁ । ଜମ୍ମୁ ଓ କଶ୍ମୀରରେ ବିଧାନ ପରିଷଦ ବ୍ୟବସ୍ଥା ସଂପୂର୍ଣ୍ଣ ଉଠିଯିବ । ଲଦାଖ ଏବଂ ଜମ୍ମୁ ଓ କାଶ୍ମୀର ମଧ୍ୟରେ ଧନ ସଂପତ୍ତି, ଅନ୍ୟ ସାମଗ୍ରୀ ବଣ୍ଟନ ନେଇ ଏକାଧିକ ଆଡଭାଇଜାରୀ କମିଟି ଗଠନ କରାଯିବ । କେନ୍ଦ୍ର ସରକାର ବିଧିବଦ୍ଧ ବିଜ୍ଞପ୍ତି ଜାରି କରିବା ପରେ ଆଧାର, ଆଇପିସି, ରାଇଟ୍‌ ଟୁ ଏଜୁକେସନ୍‌ ଭଳି ୧୦୬ଟି କେନ୍ଦ୍ରୀୟ ନିୟମ ଏଠାରେ ଲାଗୁ ହେବ । ସେହିପରି ୧୫୩ଟି ରାଜ୍ୟ ଆଇନକୁ ଉଚ୍ଛେଦ କରାଯିବ ।