ଜମ୍ମୁ କଶ୍ମୀର ନିର୍ବାଚନ : ପ୍ରଥମେ ୪୪ ଜଣ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି, ପରେ ପ୍ରତ୍ୟାହାର କରି ୧୫ ଜଣିଆ ତାଲିକା କଲା ପ୍ରକାଶ

ଜମ୍ମୁକଶ୍ମୀର ନିର୍ବାଚନକୁ ନେଇ ବିଜେପି ନୂଆ ପ୍ରାର୍ଥୀ ତାଲିକା ଜାରି କରିଛି । ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ୧୫ ଜଣ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି । ତେବେ ବିଜେପି ସକାଳେ ୪୪ ଜଣ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । କିନ୍ତୁ ଏହାକୁ ପ୍ରକାଶ କରିବା ପରେ ପ୍ରତ୍ୟାହାର କରିନେଇ ଏବେ ପୁଣି ଥରେ ନୂଆ ତାଲିକା ପ୍ରକାଶ କରିଛି । ନୂଆ ତାଲିକାରେ କେବଳ ୧୫ ଜଣଙ୍କୁ ଟିକେଟ୍ ଦେଇଛି ବିଜେପି । ଏଥିରେ ୮ ଜଣ ମୁସଲମାନ ପ୍ରାର୍ଥୀ ରହିଛନ୍ତି ।
ସକାଳ ୧୦ଟାରେ ପୂର୍ବରୁ ୪୪ ଜଣିଆ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲା ଦଳ । ହେଲେ ଏହାର ୨ ଘଣ୍ଟା ଭିତରେ ଏହାକୁ ପ୍ରତ୍ୟାହାର କରିନେଇଥିଲା । ଆଉ ମାତ୍ର ଅଧ ଘଣ୍ଟାରେ ନୂଆ ତାଲିକା ପ୍ରକାଶ କରିଥିଲା । ଏଥିପାଇଁ ବିଜେପି ଏହାର ୧୫ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ନୂଆ ତାଲିକାରେ ଏବେ ୨୯ ଜଣ ବାଦ୍ ପଡିଛନ୍ତି । ପୁଣି ଥରେ ତାଲିକା ପ୍ରକାଶ କରି ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବଢ଼ାଇଛି । ତେବେ କାହିଁକି ଘୋଷଣା କରିଥିବା ପ୍ରାର୍ଥୀ ତାଲିକାକୁ ପରିବର୍ତ୍ତନ କରିବା ପଛର କ’ଣ କାରଣ ଦଳ ସ୍ପଷ୍ଟ କରି ନାହିଁ ।
ସେପ୍ଟେମ୍ବର ୧୮ରେ ଜମ୍ମୁ-କଶ୍ମୀର ନିର୍ବାଚନ ହେବ । ଏବେ ପ୍ରଥମ ପର୍ଯ୍ୟାୟ ପାଇଁ ୧୫ ଜଣିଆ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ । ବାକି ତାଲିକା ପରବର୍ତ୍ତୀ ସମୟ ବିଜେପି ଘୋଷଣା କରିପାରେ । ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ମୋଟ ୯୦ଟି ଆସନରେ ଭୋଟିଂ ହେବ । ସେପ୍ଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ଭୋଟ ହେବ ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଜମ୍ମୁ କଶ୍ମୀରରେ ୨୦୧୪ରେ ବିଧାନସଭା ନିର୍ବାଚନ ହୋଇଥିଲା । ସେତେବେଳେ ଏହା କେନ୍ଦ୍ର ଶାସିତ ପ୍ରଦେଶ ଥିଲା । ଏହି ନିର୍ବାଚନରେ ପିଡିପି ୨୮ ସିଟ, ବିଜେପି ୨୫ ସିଟ ଏବଂ ଜମ୍ମୁ କଶ୍ମୀର ନ୍ୟାସନାଲ କନଫରେନ୍ସ ୧୫ ସିଟ୍ ଏବଂ କଂଗ୍ରେସ ୧୨ ସିଟରୁ ଜିତିଥିଲା । ଏହାହପରେ ପିଡିପି ସହିତ ମିଶି ବିଜେପି ସରକାର କରିଥିଲା ।