ଭୋଟ ଦେଉଛି ଜାମ୍ମୁ କାଶ୍ମୀର : ପ୍ରଥମ ପର୍ଯ୍ୟାୟରେ ୨୪ ଆସନ ପାଇଁ ମତଦାନ ଆରମ୍ଭ

ଭୋଟ ଦେଉଛି ଜାମ୍ମୁ କାଶ୍ମୀର । ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ଆଜି ୨୪ଟି ଆସନ ଲାଗି ଭୋଟ ନିଆଯାଉଛି । କଡ଼ା ସୁରକ୍ଷା ମଧ୍ୟରେ କାଶ୍ମୀରର ୧୬ ଓ ଜାମ୍ମୁର ୮ଟି ବିଧାନସଭା ଆସନ ପାଇଁ ଚାଲିଛି ମତଦାନ । ଏହି ପର୍ଯ୍ୟାୟରେ ୨୯୨ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରୁଛନ୍ତି । ସେଥିମଧ୍ୟରେ ୯୦ ଜଣ ସ୍ବାଧୀନ ପ୍ରାର୍ଥୀ । ପ୍ରଥମ ପର୍ଯ୍ୟାୟରେ ମୋଟ ୨୩ ଲକ୍ଷ ୨୭ ହଜାର ୫୮୦ ଜଣ ଭୋଟର ଅଛନ୍ତି ।

ଏମାନଙ୍କ ମଧ୍ୟରେ ୧୧.୭୬ଲକ୍ଷ ପୁରୁଷ, ୧୧.୫୧ ଲକ୍ଷ ମହିଳା ଅଛନ୍ତି। ପ୍ରାୟ ୩୫ ହଜାର ପ୍ରବାସୀ କାଶ୍ମୀର ପଣ୍ଡିତ ଏହି ପର୍ଯ୍ୟାୟରେ ମତଦାନ କରିବେ। କାଶ୍ମୀର ପଣ୍ଡିତଙ୍କ ମତଦାନ ନିମନ୍ତେ ଜାମ୍ମୁରେ ୧୯, ଉଦ୍ଦାମପୁରରେ ୧ଟି ଓ ଦିଲ୍ଲୀରେ ୪ଟି ସ୍ବତନ୍ତ୍ର ମତଦାନ କେନ୍ଦ୍ର ଖୋଲାଯାଇଛି। ୯୦ଜଣ ସ୍ବାଧୀନ ପ୍ରାର୍ଥୀଙ୍କ ସମେତ ମୋଟ ୨୧୯ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।

୨୦୧୯ ଅଗଷ୍ଟରେ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜାମ୍ମୁ ଓ କାଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ୯୦ ଆସନ ବିଶିଷ୍ଟ ଜାମ୍ମୁ ଓ କାଶ୍ମୀର ବିଧାନସଭା ପାଇଁ ୩ ପର୍ଯ୍ୟାୟରେ ହେବ ନିର୍ବାଚନ। ପ୍ରଥମ ପର୍ଯ୍ୟାୟରେ ଆଜି ୨୪ ଆସନ ପାଇଁ ଭୋଟ ନିଆଯାଉଛି । ସେହିପରି ୨୫ ତାରିଖରେ ଦ୍ବିତୀୟ ପର୍ଯ୍ୟାୟରେ ୨୬ ଆସନ ଓ ତୃତୀୟ ପର୍ଯ୍ୟାୟରେ ଅକ୍ଟୋବର ୧ ତାରିଖରେ ୪୦ସିଟରେ ମତଦାନ ହେବ। ଅକ୍ଟୋବର ୪ରେ ଭୋଟ ଗଣତି ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like