ଜାପାନ ଏୟାରଲାଇନ୍ସ ଉପରେ ସାଇବର ଆକ୍ରମଣ; ଉଡ଼ାଣ ବାତିଲ, ଟିକେଟ୍ ବିକ୍ରି ସ୍ଥଗିତ

ଜାପାନ ଏୟାରଲାଇନ୍ସ ଗୁରୁବାର ସକାଳୁ ସାଇବର ଆଟାକର ଶିକାର ହୋଇଛି । ଏହି କାରଣରୁ ବହୁ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ପ୍ରଭାବିତ ହୋଇଛି । ପାଖାପାଖି ୧୪ଟି ଘରୋଇ ଉଡ଼ାଣରେ ୧ ଘଣ୍ଟା ବିଳମ୍ବ ଘଟିଛି । କିଛି ଅନ୍ତର୍ଜାତୀୟ ବିମାନ ଉଡ଼ାଣରେ ମଧ୍ୟ ସମାନ ସମସ୍ୟା ସୃଷ୍ଟି ହୋଇଛି । ସାଇବର ଆକ୍ରମଣ ହେତୁ ଟିକେଟଗୁଡ଼ିକର ବିକ୍ରି ବନ୍ଦ କରି ଦିଆଯାଇଛି ।

ଏହି ସାଇବର ଆଟାକ୍ ସମସ୍ୟା ଗୁରୁବାର ସକାଳ ପ୍ରାୟ ୭ଟା ୨୫ ମିନିଟରେ ଆରମ୍ଭ ହୋଇଥିଲା । ଏହାଦ୍ୱାରା ଏୟାରଲାଇନ୍ସର ଆଭ୍ୟନ୍ତରୀଣ ଏବଂ ବାହ୍ୟ ସିଷ୍ଟମ୍ ପ୍ରଭାବିତ ହୋଇଛି । ଏୟାରଲାଇନ୍ସର ପ୍ରବକ୍ତା ଏ ବିଷୟରେ ସୂଚନା ଦେଇ କହିଛନ୍ତି, ଦିନର ଅବଶିଷ୍ଟ ସମୟରେ ସମସ୍ତ ଘରୋଇ ଏବଂ ଅନ୍ତର୍ଜାତୀୟ ଉଡ଼ାଣ ପାଇଁ ଟିକେଟ୍ ବିକ୍ରିକୁ ସ୍ଥଗିତ ରଖାଯାଇଛି । ତେବେ ଯେଉଁ ଯାତ୍ରୀମାନେ ପୂର୍ବରୁ ଟିକେଟ୍ କିଣିଥିଲେ, ସେମାନଙ୍କ ପାଇଁ ବୁକିଂ ବୈଧ ରହିବ ବୋଲି ପରାମର୍ଶ ଦିଆଯାଇଛି ।

ଜାପାନ ଟୁଡେର ରିପୋର୍ଟ ମୁତାବକ, ସାଇବର ଆଟାକ୍ ଯୋଗୁ ଜାପାନ ଏୟାରଲାଇନ୍ସର ୧୪ଟି ଘରୋଇ ଉଡ଼ାଣ ସେବା ବିଳମ୍ବ ହୋଇଛି । ଏୟାରଲାଇନ୍ସ ‘ଏକ୍ସ’ରେ ଏକ ପୋଷ୍ଟ ସେୟାର କରି କହିଛି, ଆମେ ସାଇବର ଆଟାକ୍ ଚିହ୍ନଟ କରିଛୁ । ଆମେ ସିଷ୍ଟମର ରିକଭରୀ ଷ୍ଟାଟସ୍ (ପୁନରୁଦ୍ଧାର ସ୍ଥିତି) ଯାଞ୍ଚ କରୁଛୁ । ଏହାରି ମଧ୍ୟରେ ଆଜି ଉଡ଼ାଣ ଭରିବାକୁ ଥିବା ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନଗୁଡ଼ିକ ପାଇଁ ଟିକେଟ ବିକ୍ରି ବନ୍ଦ କରି ଦିଆଯାଇଛି । ଏହାଦ୍ୱାରା ହୋଇଥିବା ଅସୁବିଧା ପାଇଁ ଆମେ ଦୁଃଖିତ ।

ଅନ୍ୟ ଏକ ପୋଷ୍ଟରେ ଏହା ଲେଖିଛି ଯେ ଆମର ନେଟୱାର୍କ ସିଷ୍ଟମ୍ ଡାଉନ୍ ରହିଛି, ଏହା ଆପଣଙ୍କୁ ଜଣାଇ ଆମେ ଦୁଃଖିତ । କାରଣ ଖୋଜା ଚାଲିଛି । ସମ୍ଭବତଃ ଏହା ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ଉଡ଼ାଣ ସଞ୍ଚାଳନକୁ ପ୍ରଭାବିତ କରିପାରେ । କହି ରଖୁଛୁ, ଜାପାନ ଏୟାରଲାଇନ୍ସ ଦେଶର ଦ୍ଵିତୀୟ ସବୁଠୁ ବଡ଼ ଏୟାରଲାଇନ୍ କମ୍ପାନୀ ।