ଜାପାନ ଦେଲା ଭବିଷ୍ୟବାଣୀ, ଗୋଟିଏ ଝଟକାରେ ଚାଲି ଯିବ ୩ ଲକ୍ଷ ଲୋକଙ୍କ ପ୍ରାଣ

ଆସୁଛି ମହାଭୂକମ୍ପ । ପ୍ରଳୟରେ ଥରି ଉଠିବ ଜାପାନ । ସୁନାମିରେ ମରିଯିବେ ଲକ୍ଷ ଲକ୍ଷ ଲୋକ । ଧ୍ବଂସ ହୋଇଯିବ ବିରାଟ ବିରାଟ ଅଟ୍ଟାଳିକା । ବାସହୀନ ହୋଇଯିବେ ଲକ୍ଷ ଲକ୍ଷ ଲୋକେ । ଜାପାନ ସରକାର ଏମିତି କିଛି ଭବିଷ୍ୟବାଣୀ କରିଛନ୍ତି । ଯାହା ପରେ ଜାପାନବାସୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି ।
ମିଆଁମାର-ଥାଇଲାଣ୍ଡରେ ହୋଇଥିବା ଭୂକମ୍ପ ଧ୍ୱଂସର ଭୟ ମନରୁ ଲିଭିନି । ପୁଣି ଏକ ମହାଭୂକମ୍ପକୁ ନେଇ ଲୋକେ ଭୟରେ ଥରହର ହେଲେଣି । ମିଆଁମାର-ଥାଇଲାଣ୍ଡ ଭୂକମ୍ପ ଧକ୍କାରୁ ବିଶ୍ୱ ଏପର୍ଯ୍ୟନ୍ତ ମୁକୁଳି ପାରିନାହିଁ । କିନ୍ତୁ ଜାପାନ ସରକାର ଏକ ନୂଆ ଚେତାବନୀ ଜାରି କରିଛନ୍ତି । ଜାପାନର ସରକାରୀ ଏଜେନ୍ସି ରିପୋର୍ଟ ଅନୁଯାୟୀ, ଖୁବଶୀଘ୍ର ଏକ ମେଗା ଭୂକମ୍ପ ହୋଇପାରେ, ଯେଉଁ ଭୂକମ୍ପର ଗୋଟିଏ ଝଟକାରେ ତିନି ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇପାରେ । ଭୂକମ୍ପ ପ୍ରଭାବରେ ସମୁଦ୍ରରେ ସୁନାମି ଆସିବ ଏବଂ ଅନେକ ଦେଶରେ ବ୍ୟାପକ କ୍ଷୟକ୍ଷତି ହେବ ।
ଜାପାନ ସରକାର ସୋମବାର ଏକ ରିପୋର୍ଟ ଜାରି କରି ଚେତାବନୀ ଦେଇଛନ୍ତି ଯେ ଦେଶର ପ୍ରଶାନ୍ତ ମହାସାଗରୀୟ ଉପକୂଳରେ ଏକ ବଡ଼ ମେଗାଭୂକମ୍ପ ଆସିପାରେ, ଯାହା ଭୟଙ୍କର ସୁନାମି ଆଣିବ । ଏହି ଭୂକମ୍ପରେ ଶହ ଶହ କୋଠା ମାଟିରେ ମିଶିଯିବ । ଗତ ବର୍ଷ, ଜାପାନ ପ୍ରଥମ ମେଗାକ୍ବେକ୍ ଚେତାବନୀ ଜାରି କରି କହିଥିଲା ଯେ ଟ୍ରଫ୍ କଡ଼ରେ ୭.୧ ତୀବ୍ରତାର ଏକ ଭୂକମ୍ପ ଆସିବା ପରେ ୯ ତୀବ୍ରତାର ଭୂମିକମ୍ପ ସମ୍ଭବ । ଯଦି ଏଭଳି ହୁଏ, ତେବେ ଜାପାନ ଅନେକ କ୍ଷୟକ୍ଷତି ସହିବ । ଜାପାନରେ ଟ୍ରିଲିୟନ ଡଲାରର କ୍ଷତି ହୋଇପାରେ । ଜାପାନର ଅଧା GDP ନଷ୍ଟ ହୋଇଯିବ । ତେଣୁ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର ହେଉଛି ।
ରିପୋର୍ଟ ଅନୁସାରେ ଯଦି ୯ ତୀବ୍ରତାର ଭୂକମ୍ପ ହୁଏ, ତେବେ ୧୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ିପାରେ । ଏହା ଜାପାନର ମୋଟ ଜନସଂଖ୍ୟାର ୧୦ ପ୍ରତିଶତ ହେବ । ଯଦି ଶୀତଦିନେ ବିଳମ୍ବିତ ରାତିରେ ଏପରି ଭୂକମ୍ପ ହୁଏ, ତେବେ ସୁନାମି ଏବଂ କୋଠା ଭୁଶୁଡ଼ିବା ଯୋଗୁଁ ୨,୯୮,୦୦୦ ଲୋକ ପ୍ରାଣ ହରାଇପାରନ୍ତି । ଜାପାନ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ଅଞ୍ଚଳରେ ରହିଛି । ଏଠାରେ ସମୁଦ୍ର ତଟରେ ୮ରୁ ୯ ତୀବ୍ରତାର ଭୂକମ୍ପ ହେବାର ସମ୍ଭାବନା ପ୍ରାୟ ୮୦% ଅଛି ।
ଅତୀତ କଥାକୁ ମନେ ପକାଇଲେ ଜାପାନରେ ହେବାକୁ ଥିବା ଏହି ଭୂକମ୍ପ ବଡ଼ ବିପଦ ଆଣିପାରେ, ଯାହାକୁ ନେଇ ଚିନ୍ତାପ୍ରକାଶ କରୁଛନ୍ତି ସମସ୍ତେ । ୨୦୧୧ ମସିହାରେ ୯ ତୀବ୍ରତାର ଭୂକମ୍ପ ଆସିଥିଲା । ଯାହା ଭୟଙ୍କର ସୁନାମି ଏବଂ ପରମାଣୁ ବିପର୍ଯ୍ୟୟ ସୃଷ୍ଟି କରିଥିଲା ଯେଉଁଥିରେ ୧୫,୦୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏବେ ଆଉ ଏକ ବଡ଼ ଭୂକମ୍ପ ଆସିବ । ଇତିହାସର ସବୁଠାରୁ ବିନାଶକାରୀ ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ପ୍ରସ୍ତୁତ ହେଉଛି ଜାପାନ । ମିଆଁମାର ଭୂକମ୍ପ ସମଗ୍ର ବିଶ୍ବକୁ ଥରାଇ ଦେଇଥିବା ବେଳେ ଏଭଳି ପୂର୍ବାନୁମାନ ସମସ୍ତଙ୍କ ମନରେ ଭୟର ବାତାବରଣ ଖେଳାଇ ଦେଇଛି ।
Also Read: ମିଆଁମାର ଓ ଥାଇଲ୍ୟାଣ୍ଡ ପରେ ଟୋଙ୍ଗାରେ ଭୟଙ୍କର ଭୂକମ୍ପ, ସୁନାମି ସତର୍କତା ଜାରି