ଜାପାନ ପାଇଁ ମାଡ଼ି ଆସୁଛି ବଡ଼ ବିପଦ । ପ୍ରଥମ ଥର ମେଗା ଭୂକମ୍ପ ପାଇଁ ଜାରି ହୋଇଛି ସତର୍କତା । ଜାପାନ ପାଣିପାଗ ସଂସ୍ଥାର ଚେତାବନୀ ପରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଡ଼ା ସପ୍ତାହ ଶେଷରେ ଥିବା ତାଙ୍କର କେନ୍ଦ୍ରୀୟ ଏସିଆ ଗସ୍ତକୁ ବାତିଲ କରିଦେଇଛନ୍ତି । ଗତ ଗୁରୁବାର ଦିନ ଭୂକମ୍ପ ପରେ ଆଗକୁ ବଡ଼ ଭୂକମ୍ପ ଆଶଙ୍କା ନେଇ ଜନସାଧାରଣଙ୍କ ପାଇଁ ଚେତାବନୀ ଜାରି କରାଯାଇଛି । ଏହି ବଡ଼ ଧରଣର ଭୂକମ୍ପରେ ଜାପାନରେ ବହୁ ଧନଜୀବନ ହାନି ହେବାର ଆଶଙ୍କା ରହିଛି । ବିଶେଷକରି ଦେଶର କେନ୍ଦ୍ରୀୟ ଓ ପଶ୍ଚିମଭାଗରେ ଅଧିକ କ୍ଷୟକ୍ଷତି ଘଟିପାରେ ବୋଲି କୁହାଯାଇଛି । ଏଥିପାଇଁ ହାଇ ଆଲର୍ଟରେ ରହିଛି ଜାପାନ । ଆଗକୁ ବଡ଼ ଭୂକମ୍ପ ନେଇ ଜାପାନର ପାଣିପାଗ ସଂସ୍ଥା ପ୍ରଥମ ଥର ପାଇଁ ସ୍ବତନ୍ତ୍ର ବୁଲେଟିନ ଓ ଆଡଭାଇଜରୀ ଜାରି କରିଛି । ଆଭାମୀ ଭୁକମ୍ପ ହେବା ଆଶଙ୍କାରେ ବୁଲେଟ ଟ୍ରେନର ଗତିକୁ ଧୀର କରାଯାଇଛି । କାରଖାନାଗୁଡ଼ିକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି । ସମୁଦ୍ର କୂଳକୁ ଯିବାକୁ ବାରଣ କରାଯାଇଛି ।
ସୂଚନା ଥାଉ କି ଗତ ଗୁରୁବାର ଦିନ କ୍ୟୁସୁର ଦକ୍ଷିଣ ଭାଗରେ ୭.୧ ତୀବ୍ରତାର ଏକ ଭୂକମ୍ପ ହୋଇଥିଲା । ଏଥିଯୋଗୁ ସୁନାମୀ ଆସିଥିଲା । ଏହାପରେ ଜାପାନର ନାନକାଇ ଟ୍ରଫରେ ଆଗକୁ ବଡ଼ ଭୂକମ୍ପ ହେବା ନେଇ ଆଶଙ୍କା ଦେଖାଦେଇଛି । ଟ୍ରଫ ହେଉଛି ସୁଡ଼ଙ୍ଗ ଭଳି ଏକ ଲମ୍ବା ଫମ୍ପା ସମୁଦ୍ରଶଯ୍ୟା । ନାନକାଇ ଟ୍ରଫ ଟୋକିଓର ଦକ୍ଷିଣ-ପଶ୍ଚିମ ଭାଗରେ ଥିବା ସିଜଓକା ଓ ମିୟାଜାକି ଯାଏ ବ୍ୟାପିଛି । ଏହା ପ୍ରାୟ ୯୦୦ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି । ଏହା ଫିଲିପାଇନ୍ସ ସି ପ୍ଲେଟ ଓ ୟୁରାସିଆନ ପ୍ଲେଟର ସଂଯୋଗ ସ୍ଥଳ । ଫିଲିପାଇନସ ସି ପ୍ଲେଟ ପ୍ରତିବର୍ଷ ୟୁରାସିଆନ ପ୍ଲେଟ ତଳେ ଦବିବାରେ ଲାଗିଛି । ଏଥିପାଇଁ ୟୁରାସିଆନ ପ୍ଲେଟ ଉପରେ ଅଧିକ ଚାପ ପଡ଼ୁଛି । ଏହି ଭୌଗୋଳିକ ଅସମାନତା ପାଇଁ ଭୂକମ୍ପ ସୃଷ୍ଟି ହେଉଥିବା ବୈଜ୍ଞାନିକମାନେ କହିଛନ୍ତି । ଜାପାନ ଆକଳନ କରିଛି ଯେ ପରବର୍ତ୍ତୀ ନାନକାଇ ଟ୍ରଫ୍ ଭୂକମ୍ପ ୯.୧ ମ୍ୟାଗ୍ନିଚ୍ୟୁଡ୍ ଭଳି ଶକ୍ତିଶାଳୀ ହୋଇପାରେ । ଟୋକିଓ ବିଶ୍ୱବିଦ୍ୟାଳୟର ପ୍ରଫେସର ନାଓସି ହିରାଟା କହିଛନ୍ତି ଯେ ଅଞ୍ଚଳବାସୀ ଏକ ସପ୍ତାହ ପର୍ଯ୍ୟନ୍ତ ସତର୍କ ରହିବା ଉଚିତ ।
ଜାପାନ ବିଶ୍ୱର ସବୁଠାରୁ ଭୂକମ୍ପ ପ୍ରବଣ ଦେଶ ମଧ୍ୟରୁ ଅନ୍ୟତମ । ୨୦୧୧ରେ ଉତ୍ତର-ପୂର୍ବ ଜାପାନରେ ୯.୦ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା ଯେଉଁଥିରେ ୧୫,୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା । ଏହି ଭୂକମ୍ପରେ ସୁନାମି ସୃଷ୍ଟି ହୋଇଥିଲା । ତେଣୁ ଆସନ୍ତା ଦୁର୍ବିପାକରେ ମଧ୍ୟ ଅନେକ କ୍ଷୟକ୍ଷତି ହେବା ନେଇ ଆଶଙ୍କା କରୁଛି ଜାପାନ ।
ବଡ଼ ଭୂକମ୍ପ ଆଶଙ୍କା ଥିବାରୁ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜାପାନ ସରକାର ଆଡଭାଇଜାରୀ ଜାରି କରିଛନ୍ତି । ଏଥିପାଇଁ ସତର୍କ ସୂଚନାକୁ ମାନିବାକୁ ଜାପାନରେ ରହୁଥିବା ଭାରତୀୟଙ୍କୁ ଟୋକିଓ ସ୍ଥିତ ଦୂତାବାସ ପକ୍ଷରୁ କୁହାଯାଇଛି । ଏନେଇ ଭାରତୀୟ ଦୂତାବାସ ୱେବସାଇଟ ଓ ସୋସିଆଲ ମିଡଆ ହ୍ୟାଣ୍ଡେଲରେ ସୂଚନା ମିଳିପାରିବ ।