‘ମୋ ଝିଅ କରୋନା ସଂକ୍ରମିତ ନୁହେଁ, ତାକୁ ତୁରନ୍ତ ଫେରାଇ ଆଣନ୍ତୁ’, କୋହଭରା କଣ୍ଠରେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ ଜାପାନ ଜାହାଜରେ ଫସିଥିବା ଯୁବତୀଙ୍କ ପିତା
କରୋନା ଭାଇରସ୍କୁ ନେଇ ଏବେ ସାରା ବିଶ୍ୱବାସୀ ଚିନ୍ତିତ। ଇତି ମଧ୍ୟରେ କରୋନାକୁ ନେଇ ଆଉ ଏକ ନୂଆ ଖବର ସାମ୍ନାକୁ ଆସିଛି। ଟୋକିଓରେ ଜାପାନ ଜାହାଜରେ ଥିବା ଭାରତୀୟ ନାଗରିକ ସୋନାଲି ଠକ୍କର କରୋନାରେ ଆକ୍ରାନ୍ତ ନଥିବା ସୂଚନା ମିଳିଛି। ଏନେଇ ସୋନାଲି ନିଜେ ସୋସିଆଲ ମିଡିଆରେ ସୂଚନା ଦେବା ସହ ତାଙ୍କୁ ଉଦ୍ଧାର କରିବାକୁ ଅନୁରୋଧ କରିଛନ୍ତି। ଏହା ଜଣାପଡ଼ିବା ପରେ ସୋନାଲିଙ୍କ ପିତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଝିଅକୁ ଫେରାଇ ଆଣିବାକୁ ଗୁହାରି କରିଥିବା ଜଣାଯାଇଛି।
ସୋନାଲିଙ୍କ ବାପା ଦିନେଶ ଠକ୍କର କହିଛନ୍ତି ଯେ ଜାହାଜରେ ଥିବା ସମସ୍ତ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ଓ ମୋ ଝିଅ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଅଧିକ ଦିନ ଜାହାଜରେ ରହିଲେ ସେ କରୋନାରେ ଆକ୍ରାନ୍ତ ହୋଇପାରେ। ଏଣୁ ତାକୁ ତୁରନ୍ତ ସରକାର ଫେରାଇ ଆଣନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ ଯେ ସୋନାଲି ଗତ ୧୨ ଦିନ ହେବ ଜାପାନର ୟୋକୋହାମା ବନ୍ଦରରେ ଥିବା ଜାହାଜରେ ଫସି ରହିଛନ୍ତି। ଜାହାଜରେ ମୋଟ ୩ ହଜାର ଯାତ୍ରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ଛଅ ଜଣ ଭାରତୀୟ। ସେହିପରି ଜାହାଜର ୧୧୦୦ କ୍ରୁ-ମେମ୍ବରଙ୍କ ମଧ୍ୟରୁ ୧୩୨ ଜଣ ଭାରତୀୟ। ବର୍ତ୍ତମାନ ପର୍ଯ୍ୟନ୍ତ ଜାହାଜରେ ୨୧୮ ଜଣ କରୋନା ସଂକ୍ରମିତ ହୋଇସାରିଲେଣି, ସେଥିମଧ୍ୟରୁ ୩ ଜଣ ଭାରତୀୟ ବୋଲି ଜଣାଯାଇଛି। ଏଣୁ ତୁରନ୍ତ ସୁସ୍ଥ ଲୋକଙ୍କୁ ଜାହାଜରୁ ବାହାରକୁ ଅଣାଯାଉ ବୋଲି ସେମାନଙ୍କ ପରିବାର ଲୋକ ଅନୁରୋଧ କରିଛନ୍ତି।ରିପୋର୍ଟ ମୁତାବକ କରୋନା ଭୟରେ ଏବେ ଲୋକେ ଅଫିସ୍ରେ ଟିପ ଚିହ୍ନ ଦେବାକୁ ମଧ୍ୟ ମନା କରିଦେଇଛନ୍ତି। ଦିଲ୍ଲୀର ଏକ ମେଡିକାଲର ଡାକ୍ତରମାନେ ବାୟୋମାଟ୍ରିକ୍ରେ ଉପସ୍ଥାନ ପାଇଁ ଆଙ୍ଗୁଳି ଛାପ ଦେବାକୁ ମନା କରି ଦେଇଛନ୍ତି। ସେମାନେ କହିଛନ୍ତି ଯେ ବର୍ତ୍ତମାନ ଯେଉଁ ପରିମାଣରେ କରୋନା ଭୂତାଣୁ ସଂକ୍ରମଣ ବଢ଼ୁଛି, କୌଣସି ବାହାର ଜିନିଷକୁ ଖାଲି ହାତରେ ଛୁଇଁବା ସୁରକ୍ଷିତ ନୁହେଁ। ଏଣୁ ସେମାନେ ଆଉ ଟିପ ଚିହ୍ନ ଦେବେ ନାହିଁ।