ନକ୍ସଲଙ୍କ IED ବିସ୍ଫୋରଣରେ କୋବ୍ରା ବାଟାଲିୟନର ଜଣେ ଯବାନ ଆହତ, ଏୟାରଲିଫ୍ଟ କରି ନିଆଗଲା ରାଞ୍ଚି

ଝାଡ଼ଖଣ୍ଡର ଚାଇବାସାରେ ଆଇଇଡି (IED) ବିସ୍ଫୋରଣରେ ଜଣେ ଯବାନ ଆହତ ହୋଇଛନ୍ତି । ନକ୍ସଲମାନେ ସାରଣ୍ଡାରେ ଆଇଇଡି ଖଞ୍ଜିଥିଲେ । ଏହା ବିସ୍ଫୋରଣ ହୋଇ ୨୦୯ କୋବ୍ରା ବାଟାଲିୟନର ଜଣେ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଏୟାରଲିଫ୍ଟ କରି ରାଞ୍ଚି ନିଆଯାଇଛି ।
କୋବ୍ରା ବାଟାଲିୟନ ଟିମ୍ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାରେ ନକ୍ସଲଙ୍କ ବିରୋଧରେ ସର୍ଚ୍ଚ ଅପରେସନ ଚଳାଇଥିଲେ । ଏହି ସମୟରେ ହୋଇଥିବା ଆଇଇଡି ବିସ୍ଫୋରଣରେ ଜଣେ କୋବ୍ରା ଯବାନ ଆହତ ହୋଇଥିଲେ । ପୋଲିସ ଅଧିକାରୀଙ୍କ ମୁତାବକ, ଏହି ଘଟଣା ସକାଳ ପ୍ରାୟ ସାଢ଼େ ୭ଟାରେ ଜରାଇକେଲା ଥାନା ଅଧୀନ ସାରଣ୍ଡା ଜଙ୍ଗଲ ଅଞ୍ଚଳରେ ଘଟିଥିଲା ।
ଏହି ଅଞ୍ଚଳରେ ନକ୍ସଲ ବିରୋଧୀ ଅଭିଯାନ ଚାଲିଛି । ସୁରକ୍ଷା ବାହିନୀକୁ ଟାର୍ଗେଟ କରି ନକ୍ସଲମାନେ ଆଇଇଡି ଖଞ୍ଜିଥିଲେ ।
ଝାଡ଼ଖଣ୍ଡ ସରକାର ନକ୍ସଲଙ୍କ ବିରୋଧରେ ଅଭିଯାନ ଚଳାଇଛନ୍ତି । ଏହା ଅଧୀନରେ ନକ୍ସଲମାନଙ୍କୁ ଆତ୍ମସମର୍ପଣ କରିବାକୁ ପ୍ରେରିତ କରାଯାଉଛି । ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ପରିବାରକୁ ପୁରସ୍କାର ମଧ୍ୟ ପ୍ରଦାନ କରାଯାଉଛି ।