ମହଙ୍ଗା ପଡ଼ିଲା ଛେପ ପକାଇ ଚୁଟି କାଟିବା, ମହିଳାଙ୍କ ଏତଲା ପରେ କ୍ଷମା ମାଗିଲେ ହେୟାର ଷ୍ଟାଇଲିଷ୍ଟ ଜାଭେଦ ହବିବ୍‌

ଛେପ ପକାଇ ଚୁଟି କାଟିବା ଘଟଣା ଯୋଗୁ ବିବାଦରେ ଫସିଥିବା ଲୋକପ୍ରିୟ ହେୟାର ଷ୍ଟାଇଲିଷ୍ଟ ଜାଭେଦ ହବିବ୍‌ କ୍ଷମା ମାଗିଛନ୍ତି। ମହିଳାଙ୍କ ଚୁଟି କାଟିବା ବେଳେ ମୁଣ୍ଡରେ ଛେପ ପକାଇବା କାରଣରୁ ବିବାଦରେ ଥିଲେ ଜାଭେଦ। ଏହି ଘଟଣା ବେଳର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା। ଫଳରେ ଜାଭେଦ ଖୁବ୍‌ ଟ୍ରୋଲ୍‌ ହୋଇଥିଲେ। ଅନ୍ୟପଟେ ଏହି ମାମଲାରେ ଯେଉଁ ମହିଳାଙ୍କ ମୁଣ୍ଡରେ ଜାଭେଦ ଛେପ ପକାଇଥିଲେ ସେ ବି ପୋଲିସରେ ଏତଲା ଦେଇଥିବା ଜଣାଯାଇଛି।

କ’ଣ ଥିଲା ଘଟଣା:

ଜାଭେଦ ହବିବଙ୍କର ଭାଇରାଲ ହୋଇଥିବା ଭିଡିଓଟି ମୁଜଫରନଗରର ଏକ ସେମିନାରର ବୋଲି କୁହାଯାଉଛି। ଚୁଟି କାଟିବା ବେଳେ ସେ କହୁଛନ୍ତି, ‘ଶାମ୍ପୁ ବ୍ୟବହାର କରାଯାଇନଥିବାରୁ ଆପଣଙ୍କ କେଶ ଅପରିଷ୍କାର ରହିଛି। ଯଦି ପାଣିର ଅଭାବ ଥାଏ। ତେବେ ଏମିତି କହି ମହିଳାଙ୍କ ଚୁଟିରେ ଛେପ ପକାଇ ଦେଉଛନ୍ତି। ତା’ ପରେ ସେ କହୁଛନ୍ତି ଏହି ଛେପରେ ଜୀବନ ଅଛି ନା। ତେବେ ଏହି ସମୟରେ ସେଠାରେ ଉପସ୍ଥିତ ଲୋକେ ଜୋରଦାର ତାଳି ମାରୁଥିବା ଦେଖାଯାଇଛି।

କିନ୍ତୁ ଭିଡିଓରେ ନଜର ଆସୁଥିବା ମହିଳା ଅସହଜ ଅନୁଭବ କରୁଛନ୍ତି। ଜାଭେଦ ହବିବ ଯେଉଁ ମହିଳାଙ୍କ ମୁଣ୍ଡ ଛେପ ପକାଇ ଚୁଟି କାଟିଛନ୍ତି ତାଙ୍କ ନାଁ ପୂଜା ଗୁପ୍ତା ବୋଲି ଜଣାପଡ଼ିଛି। ଏହି ଘଟଣା ପରେ ପୂଜା ଜାଭେଦଙ୍କର ଏଭଳି ଚୁଟି କାଟିବାକୁ ନେଇ ଆପତ୍ତି ଉଠାଇଛନ୍ତି। ଏଣୁ ସେ ପୋଲିସରେ ଏତଲା ଦେଇଛନ୍ତି।

ମହିଳା ଜଣକ କହିଛନ୍ତି, ହବିବ୍ ସାର୍ଙ୍କ ଏକ ସେମିନାରରେ ମୁଁ ଯୋଗ ଦେଇଥିଲି। ସେଠାରେ ମୋତେ ଚୁଟି କାଟିବା ପାଇଁ ଡକାଯାଇଥିଲା। ଏହାପରେ ହବିବ ମୋ ସହ ଦୁର୍ବ୍ୟବହାର କରିଥିଲେ। ସେ କହିଥିଲେ ଯଦି ପାଣି ନଥାଏ ତେବେ ଛେପ ଲଗାଇ ମଧ୍ୟ ଚୁଟି କାଟିପାରିବା। କିନ୍ତୁ ମୁଁ ସେତେବେଳେ ଆଉ ଚୁଟି କାଟିନଥିଲି। ଜଣେ ପ୍ରସିଦ୍ଧ ହେୟାର ଷ୍ଟାଇଲିଷ୍ଟ ହୋଇ ଏଭଳି ଦୁର୍ବ୍ୟବହାର ପ୍ରକୃତରେ ଅଶୋଭନୀୟ ବୋଲି ପୂଜା କହିଛନ୍ତି।